ଏକାମ୍ର ରାଜା ଗଣେଶ ପୂଜା କମିଟି ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ବିଶିଷ୍ଟ କଳାକାର, ପଡୋଶୀ ରାଜ୍ୟର ବାଦ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦକ୍ରମେ “ଏକାମ୍ର ରାଜା ଗଣେଶ ପୂଜା କମିଟି” ଆନୂକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି । ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ପୂଜା ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା ପାଇଥିବାରୁ ଏକାମ୍ର ରାଜାଙ୍କ ନାମରେ ପରିଚିତ ଓ ଏହା ପୁରୁଣା ଭୁବନେଶ୍ୱରର ସର୍ବୋଚ୍ଚ ଗଣେଶ ବିଗ୍ରହ । ଶ୍ରୀଲିଙ୍ଗରାଜଙ୍କ ଅଙ୍ଗଲାଗି ସେବକ ‘ବଡ଼ୁ ସେବକ’ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରସାଦ ବଣ୍ଟନ କରାଯାଏ । ଚଳିତ ବର୍ଷ ଏକାମ୍ର ରାଜା ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ସତ୍ୟଜିତ୍ ପ୍ରଧାନ ସମେତ ବହୁ ନାମି କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ ।

ସେହିପରି ଚଳିତ ବର୍ଷ ଗଣେଶ ଭଷାଣ ଉତ୍ସବରେ ପାରମ୍ପାରିକ ବାଦ୍ୟ ଯଥା ବଲାଙ୍ଗିରର କଲାରା ପାର୍ଟି, ଜୁନାଗଡ଼ର ମେଲୋଡ଼ି, ସମ୍ବଲପୁରର ଘଣ୍ଟବାଦ୍ୟ, କୋଲକତାର ଛଉ ନୃତ୍ୟ, ପୁରୀର ନାଗା, କେରଳର କଥକଲି, କଳାହାଣ୍ଡିର ବାହୁବଳୀ ନୃତ୍ୟ, ବ୍ରହ୍ମପୁରର ବ୍ରାସବ୍ୟାଣ୍ଡ ପାର୍ଟି, ବାଳକାଟିର ଘୋଡ଼ାନାଚ ସମେତ ବିଭିନ୍ନ ପ୍ରକାର ବାଦ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ଅମୀୟ ଦାଶ, ସମ୍ପାଦକ ତଥା କର୍ପୋରେଟର ଶିବ ପ୍ରସାଦ ବେହେରା ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଏକାମ୍ର ରାଜା ଗଣେଶ ପୂଜା ପୁସ୍ତିକା ଲୋକାର୍ପଣ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ମକଦ୍ଦମ, ରଞ୍ଜିତ ମକଦ୍ଦମ, ରାକେଶ ବଟୁ, କାର୍ତିକ ବଟୁ, ରାକେଶ ମକଦ୍ଦମ, ଅନିକେତ ବଟୁ, ଲିଙ୍ଗରାଜ ମହାପାତ୍ର, ସୁମନ୍ତ ବଟୁ, ସାଗର ବଟୁ, ସନ୍ତୋଷ ମହାପାତ୍ର ସମେତ ଶତାଧିକ ସଭ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.