୫ ରାଜ୍ୟକୁ ଭୋଟର ତାଲିକା ଅପଡେଟ୍ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ । ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ ଭଳି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିଜ ନିଜ ରାଜ୍ୟର ଭୋଟର ତାଲିକା ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୨୪ ତାରିଖରେ ସଂପୃକ୍ତ ୫ଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ନିର୍ବାଚନ କମିଶନ କହିଛନ୍ତି ଯେ ଚଳିତ ବର୍ଷ ଶେଷ ଆଡ଼କୁ ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ଜନପ୍ରତିନିଧି ଆଇନର ବ୍ୟବସ୍ଥାକୁ ଉଦାହରଣ ଦେଇ ଏହି ଚିଠିରେ କୁହାଯାଇଛି ଯେ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗ୍ୟତା ତାରିଖ ଅନୁଯାୟୀ ଭୋଟର ତାଲିକା ସଂଶୋଧନ କରାଯିବା ଉଚିତ। ତଦନୁଯାୟୀ, ଅକ୍ଟୋବର ୧, ୨୦୨୩ କିମ୍ବା ତା’ପୂର୍ବରୁ ୧୮ ବର୍ଷ ବୟସରେ ପହଞ୍ଚିଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ପଞ୍ଜୀକରଣକୁ ଅଧିକରୁ ଅଧିକ କରିବା ଏବଂ ଭୋଟର ତାଲିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କମିଶନ ସଂପୃକ୍ତ ରାଜ୍ୟମାନଙ୍କରେ ଅକ୍ଟୋବର ୧, ୨୦୨୩ ପରିପ୍ରେକ୍ଷୀରେ ଫଟୋ ଭୋଟର ତାଲିକାର ଦ୍ୱିତୀୟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ନିକଟରେ ୧୮ ବର୍ଷ ବୟସରେ ପହଞ୍ଚିଥିବା ଲୋକଙ୍କ ପାଇଁ ଜାନୁଆରି ପହିଲା ଏକମାତ୍ର ଯୋଗ୍ୟତା ଦିବସ ଥିଲା। କିନ୍ତୁ ନିର୍ବାଚନ ଆଇନରେ ପରିବର୍ତ୍ତନ ପରେ ରହିଛି ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ରେ ଏବେ ୪ଟି କଟ୍ ଅଫ୍ ତାରିଖ ।