ଦିଲ୍ଲୀରେ ବନ୍ୟା ବିଭୀଷକା, ତଳିଆ ଅଂଚଳ ଲୋକଙ୍କୁ ଚେତାବନୀ ଦେଇ କେଜ୍ରିଓ୍ଵାଲ କହିଲେ, ‘ତୁରନ୍ତ ଖାଲି କର, ଅପେକ୍ଷା କରନାହିଁ
ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିଲ୍ଲୀର ଯମୁନା ନଦୀ ଜଳସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରିଛନ୍ତି। ‘ଆମକୁ ପ୍ରଥମେ ଜୀବନ, ସମ୍ପତ୍ତିର ସୁରକ୍ଷା କରିବାକୁ ପଡ଼ିବ। ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।
ଏଥିସହ ପରିସ୍ଥିତି ପ୍ରତି ସଜାଗ ରହିବାକୁ ଦିଲ୍ଲୀ ସରକାର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)କୁ ସତର୍କ କରାଇଛନ୍ତି। ଯମୁନାରେ ଜଳସ୍ତର ଲଗାତର ବୃଦ୍ଧି ପାଉଥିବାରୁ ଆବଶ୍ୟକ ପଡ଼ିଲେ ସ୍କୁଲଗୁଡ଼ିକୁ ରିଲିଫ୍ କ୍ୟାମ୍ପରେ ପରିଣତ କରିବାକୁ କେଜ୍ରିୱାଲ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୨୦୭.୭୧ ମିଟରକୁ ବୃଦ୍ଧି ପାଇଛି, ଯାହା କି ୧୯୭୮ର ୨୦୭.୪ ମିଟରର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି।