ତୃତୀୟ ଦିନରେ ବି ଗୃହ ଅଚଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଧାନସଭା ଶୀତ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଆଦିବାସୀ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ କମ୍ପିଲା ଗୃହ। ବିରୋଧୀମାନେ ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କରିଥିଲେ। ଯାହାଫଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି। କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ ।

କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆଦିବାସୀଙ୍କ ଜମି ହଡପ କରିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏହି ଆଦିବାସୀ ଜମି କିଣାବିକା ପ୍ରସଙ୍ଗରେ ଯେଉଁ ସ୍ଥିଗତାଦେଶ ଜାରି କରିଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ଉଭୟ ବିରୋଧୀ ଦଳ । ଗତ ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଡିସେମ୍ବର ୩୦ ଯାଏଁ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହୋଇଥିଲା ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବୁଧବାର ମଧ୍ୟ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଆଦିବାସୀ ଜମି ପ୍ରସଙ୍ଗରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ମୁଲତବୀ ରଖିବା ପରେ ବାହାରେ ଆସି ବିକ୍ଷୋଭ କରିଥିଲେ ବିରୋଧୀ ନେତା । ତେବେ ଏହି ହଟ୍ଟଗୋଳ ଭିତରେ ଗତକାଲି(ବୁଧବାର) ଭୂ-ସଂସ୍କାର ଦ୍ବିତୀୟ ବିଲ୍ ୨୦୨୩ ସଂଶୋଧନ ବିଧେୟକ ଆଗତ ହୋଇଥିଲା ।

Leave A Reply

Your email address will not be published.