ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୪ ଜାନୁଆରି ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ବାରା ୮୧ କୋଟି ୩୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆହୁରି ୫ ବର୍ଷ ଯାଏଁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଜାନୁୟାରୀ ୨୦୨୪ରୁ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କୋଭିଡ ୧୯ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୩.୫୦ କୋଟି ଭାରତୀୟ ଦାରିଦ୍ର ସ୍ତରରୁ ଉପରକୁ ଉଠିଛନ୍ତି।ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। କୃଷକମାନଙ୍କୁ କୃଷି ବ୍ୟବହାର ପାଇଁ ଭଡା ସେବା ଯୋଗାଇବା ଲାଗି ୨୦୨୩-୨୪ ରୁ ୨୦୨୫-୨୬ ମଧ୍ୟରେ ୧୫,୦୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ ଯୋଗାଇ ଦିଆଯିବ।
ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ କେନ୍ଦ୍ରୀୟ ଯୋଜନା ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାଇଁ ସରକାରଙ୍କ ୧,୨୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନା ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାୟୀ ବ୍ୟବସାୟ ଏବଂ ଜୀବିକା ସହାୟତା ମିଳିପାରିବ। ଏହା ସହିତ ସେମାନେ ବର୍ଷକୁ ଅତି କମରେ ୧ ଲକ୍ଷ ଟଙ୍କା ଯାଏ ଅତିରିକ୍ତ ଆୟ କରିବାକୁ ସକ୍ଷମ ହୋଇପାରିବେ।