ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସାଙ୍ଘାଇ ସମନ୍ବୟ ସଂଗଠନ ବୈଠକରେ ଯୋଗ ଦେବା ଲାଗି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆସନ୍ତା ୧୫ ଓ ୧୬ ତାରିଖରେ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଏସସିଓ ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆଞ୍ଚଳିକ ସୁରକ୍ଷା, ଆର୍ଥିକ ସହଯୋଗ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବାସ୍ତବରେ ଆଞ୍ଚଳିକ ସ୍ଥିରତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏସସିଓ ବୈଠକ ଅନୁଷ୍ଠିତ ହେଉଛି; ଯେଉଁଥିରେ ଚୀନ୍, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶ ସହ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।  ଭାରତକୁ ବୈଠକରେ ଯୋଗ ଦେବା ଲାଗି ପାକିସ୍ତାନ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛି।

ଏସସିଓ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେବାକୁ ଥିବାବେଳେ ଭାରତ ନିଜର ପ୍ରତିନିଧି ଭାବେ ଜୟଶଙ୍କରଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସହିତ ତିକ୍ତ ସମ୍ପର୍କ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି।  ଗତ ବର୍ଷ ଭର୍ଚୁଆଲ ମୋଡରେ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିଥିଲା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅନଲାଇନରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.