ନକଲି ସାର୍ଟିଫିକେଟ ଓ ନିଯୁକ୍ତି ପ୍ରସଙ୍ଗ: ଗୋଲକ ମହାପାତ୍ର କହିଲେ ଜାଲ୍ ନିଯୁକ୍ତିଧାରୀଙ୍କୁ ନିର୍ବାଚନ ସମୟରେ ଦଳୀୟ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରୁଛି ଶାସକ ବିଜେଡିQ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ନକଲି ଔଷଧ, ଘିଅ, ତେଲ, ଚାଉଳ, ଅଣ୍ଡା, ଟମାଟୋ ସସ୍ ପ୍ରସ୍ତୁତରେ ଓଡିଶା ଆଜି ପ୍ରଥମ ସ୍ଥାନ ଅଧିକାର କରିସାରିଛି । ସେହିପରି ନକଲି ଶିକ୍ଷକ, ଡାକ୍ତର, ଅଙ୍ଗନବାଡି କର୍ମଚାରୀ, ବନବିଭାଗ କର୍ମଚାରୀ ନିଯୁକ୍ତି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ରତ୍ନଭଣ୍ଡାର ଚାବି, ୫-ଟି ବିଭାଗ ମଧ୍ୟ ନକଲି । ଯେଉଁ ଜାଗାରେ ହାତ ମାରିଲେ ସବୁଠି ନକଲି, କିଛି ଅସଲି ନାହିଁ । ବର୍ତମାନ ଏହି ନକଲି ପୃଷ୍ଟାରେ ଶିକ୍ଷାଗତ ସାର୍ଟିଫିକେଟ ଯୋଡି ହୋଇଯାଇଛି । ଫଳରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ, ତାଲିମପ୍ରାପ୍ତ ଯୁବତୀ, ଯୁବକ ନିଯୁକ୍ତି ପାଇବାରୁ ବଂଚିତ ହୋଇଛନ୍ତି । ବିଜେଡି ଶାସନରେ ସଂପୂର୍ଣ୍ଣ ନକଲି ଶାସନ ବ୍ୟବସ୍ଥା ଚାଲିଛି ବୋଲି ରାଜ୍ୟ ସାଧାରଣ ସଂପାଦକ  ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୋଲକ ମହାପାତ୍ର କହିଛନ୍ତି ଯେ, “ଓଡ଼ିଶାରେ ଅପରାଧୀମାନଙ୍କ ବଳ ବିଜୁ ଜନତା ଦଳ” । ବର୍ଷ ବର୍ଷ ଧରି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ର‌୍ୟାକେଟର ମୁଖ୍ୟ ମନୋଜ ଦାଶ ହେଉଛନ୍ତି ଶାସକ ବିଜେଡିର ଆଇଟି ସେଲ୍‌ର ପୂର୍ବତନ ବଲାଙ୍ଗୀର ଜିଲ୍ଲା ମୂଖ୍ୟ । ମନୋଜଙ୍କ ସହ ବିଜୁ ଜନତା ଦଳର ବଡ ବଡ ପୁରୁଖା ନେତା ଓ ମନ୍ତ୍ରୀଙ୍କ ଫଟୋ ରହିଛି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ବର୍ତମାନର ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ସ୍ୱର୍ଗତ ନବ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଫଟୋ ରହିଛି । ବିଜେଡି ଦଳରେ ରହି ମନୋଜ ମିଶ୍ର ତାର ସହଯୋଗୀ ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ । ରାଜ୍ୟରେ ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ନକଲି ସାର୍ଟିଫିକେଟର ଚେର ବହୁ ଲମ୍ବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନକଲି ସାର୍ଟିଫିକେଟ ଘଟଣା ଧରାପଡିବାର ଆଜିକୁ ୧୭-୧୮ ଦିନ ବିତିଗଲାଣି । ବର୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଗଲା, କେତେ ଜଣଙ୍କୁ ଛାଡି ଦିଆଗଲା, କିଏ କିଏ ସଂପୃକ୍ତ ଅଛନ୍ତି, ଏହାର ଖୁଲାସା କରାଗଲା ନାହିଁ । ବାହାର ରାଜ୍ୟକୁ କାହିଁକି ଯାଇନାହାନ୍ତି ? ମାତ୍ର ୨ ଜଣଙ୍କ ଭିତରେ ତଦନ୍ତ ସୀମିତ ହୋଇ ରହିଛି । ପ୍ରଥମେ ବଲାଙ୍ଗୀର ପୋଲିସ ତଦନ୍ତ କରୁଥିବାବେଳେ ରାଜ୍ୟ ସରକାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଲେ । ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରାଯାଉଛି । ଏହା ଦ୍ୱାରା ଜାଲ୍ କାରବାରରେ ସଂଶ୍ଳିଷ୍ଟ ଥିବା ଶାସକ ବିଜେଡିର ବହୁ ନେତା ତଥ୍ୟପ୍ରମାଣକୁ ନଷ୍ଟ କରିବାରେ ସଫଳ ହୋଇପାରିବେ ବୋଲି ଗୋଲକ ମହାପାତ୍ର କହିଛନ୍ତି ।
ନକଲି ସାର୍ଟିଫିକେଟ ଦେଇ ବୌଦ୍ଧ ଜିଲ୍ଲାର ଜଣେ ଅଙ୍ଗନୱାଡି କର୍ମୀ ଧରାପଡିଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ଶିକ୍ଷୟତ୍ରୀ ଓ ମୟୂରଭଞ୍ଜରେ ୧୪୨ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଶିକ୍ଷକ ନିଯୁକ୍ତି ପୂର୍ବରୁ ସାର୍ଟିଫିକେଟ୍ ଯାଂଚ ପାଇଁ ଶିକ୍ଷା ବିଭାଗ ୬ ଥର ତାଗିଦ କରିଛି । କିନ୍ତୁ ଦାୟିତ୍ୱରେ ଥିବା ବିଇଓ, ଡିଇଓ ଏବଂ ଅନ୍ୟାନ୍ୟ ଶିକ୍ଷା ବିଭାଗ ଅଧିକାରୀ କାହିଁକି ଯାଂଚ କରୁନଥିଲେ । ବାସ୍ତବରେ ଓଡ଼ିଶାରେ ବିଜେଡି ସରକାର ନକଲି ନିଯୁକ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କୁ ଶାସକ ବିଜେଡି ନିର୍ବାଚନ ସମୟରେ ଦଳୀୟ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରୁଛି ବୋଲି ଗୋଲକ ମହାପାତ୍ର କହିଛନ୍ତି ।
ଡାକ୍ତର ନିଯୁକ୍ତି କ୍ଷେତ୍ରରେ ସଠିକ ଯାଂଚ କରିବା ପାଇଁ ସର୍ଭେ କରିବାକୁ ଗତ ଜାନୁୟାରୀ ମାସରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତା’ପରେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ଗହଣ କରିଲେ ନାହିଁ । ୨୦୨୧ ଅଗଷ୍ଟରେ ଜାଲ୍ ପ୍ରମାଣପତ୍ରରେ କନିଷ୍ଠ ରାଜସ୍ୱ ସହାୟକ(ଜେଆରଏ) ନିଯୁକ୍ତିକୁ ନେଇ ଅଭିଯୋଗ ହୋଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନତ ଦୂରର କଥା, ଦେଢ଼ବର୍ଷ ପରେ ବି ପ୍ରଶାସନ ତାର ତଦନ୍ତ କରୁନାହାନ୍ତି । ଏଥି ପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ରହିଛି ବୋଲି ଗୋଲକ ମହାପାତ୍ର କହିଛନ୍ତି ।
୨୦୧୦ରୁ ୨୦୨୨ ଭିତରେ ୨୯୫ଟି ମାମଲା ତଦନ୍ତ କରିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚର ପାରିବା ପଣିଆକୁ ବିଧାନସଭାରେ ରାଜ୍ୟ ସରକାର ଖୋଦ୍ ସ୍ୱୀକାର ମଧ୍ୟ କରିଛନ୍ତି । ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ ୭୨ଦିନ ବିତିଥିଲେ ବି ହତ୍ୟାକାଣ୍ଡର କାରଣ ସଂପର୍କରେ କ୍ରାଇମବ୍ରାଂଚ ଜବାବ୍ ଦେଇପାରିଲା ନାହିଁ । ସେହିପରି ପରୀ, ମମିତା ଭଳି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିପାରିଲା ନାହିଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ । ବରଂ ଓଡ଼ିଶାରେ ଘଟିଯାଉଥିବା ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଖସାଇ ଦେବାର ଦାୟୀତ୍ୱ ନେଇଛି କ୍ରାଇମବ୍ରାଂଚ ।
ମହାଡାକପାଳ ଯଦି ଜାଲ୍ ସାର୍ଟିଫିକେଟ୍ ଜାଣିପାରିନଥାନ୍ତେ ତାହାଲେ ଏହି ଘଟଣା ଜନତାଙ୍କ ସାମ୍ନାକୁ ଆସିନଥାନ୍ତା । ମହାଡାକପାଡ ସିବିଆଇ ଇନ୍‌କ୍ୱାରୀ କରିବାକୁ କହିଛନ୍ତି । ଏହି ଜାଲ୍ ସାର୍ଟିଫିକେଟ ମାମଲାରେ ବଲାଙ୍ଗିରର ବିଜେଡି କର୍ମୀଠୁ ଆରମ୍ଭ କରି ସେକ୍ରେଟେରୀଏଟ୍‌ର ବଡବାବୁ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଓଡ଼ିଶାରେ ନକଲି ତଦନ୍ତ କରୁଥିବା ସଂସ୍ଥା କ୍ରାଇମବ୍ରାଂଚ ଏହି ଘଟଣାର ସଠିକ୍ ତଦନ୍ତ କେବେହେଲେ କରିପାରିବ ନାହିଁ । ତେଣୁ ନକଲି ସାର୍ଟିଫିକେଟ୍ ଏବଂ ନିଯୁକ୍ତି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଗୋଲକ ମହାପାତ୍ର ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଉମାକାନ୍ତ ପଟ୍ଟନାୟକ ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.