ଏମବିବିଏସ୍‌ ନପଢ଼ି ଡାକ୍ତର, ଦୁଇଟି ଜାଗାରେ ଖୋଲିଥିଲା କ୍ଲିନିକ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଠକ, ଧୂର୍ତ୍ତ, ଚାଲବାଜ । ଏମବିବିଏସ୍‌ ନପଢ଼ି ଡାକ୍ତର । ସାର୍ଟିଫିକେଟ ନକଲି । କାମ ଦୋ ନମ୍ବରୀ । ଦୁଇଟି ଜାଗାରେ ଖୋଲିଥିଲା କ୍ଲିନିକ୍‌ । ଲୋକଙ୍କ ଜୀବନ ସହ ଖେଳୁଥିଲା । ଧରାପଡ଼ିଗଲା ଚାଲାକି । ଶେଷରେ ଡାକ୍ତର ଚାର୍‌ ସୋ ବିଶକୁ ବାନ୍ଧିଛି ପୋଲିସ । ନାଁ- ଶୁଭ୍ରଜିତ ପଣ୍ଡା । ଘର- ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଡେଙ୍ଗାଉସ୍ତ ଓ କଟକ ରାଣୀହାଟରେ କ୍ଲିନିକ କରି ରୋଗୀ ଚିକିତ୍ସା କରୁଥିଲା ଠକ ଶୁଭ୍ରଜିତ । ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର କହୁଥିଲା । ଅଭିଯୋଗ ପରେ ସାମନାକୁ ଆସିଛି ନକଲି ଡାକ୍ତରର ଅସଲି ଚେହେରା ।

ଧୂର୍ତ୍ତ ଶୁଭ୍ରଜିତ ରୋଗୀ ପିଛା ନେଉଥିଲା ୩୦୦ ଟଙ୍କା । ଜଣେ ରୋଗୀଙ୍କ ଅଭିଯୋଗର ଖୋଳତାଡ ବେଳେ ସାମନାକୁ ଆସିଥିଲା ଠକ ଡାକ୍ତରର କେଳେଙ୍କାରୀ । କ୍ଲିନିକରେ ଚଢାଉ ବେଳେ ନକଲି ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି । ଗିରଫ ପରେ ରୋବାବ୍‌ ଦେଖାଇଛି ଠକ । ଚୋର ମୁହଁ ଟାଣ ଭଳି କଥା କହୁଛି । ଦୋଷ ମାନୁଛି, କିନ୍ତୁ ଗାଲୁଆମି ଛାଡୁନି ।  କଟକ ଜିଲ୍ଲାପାଳ କହିଛନ୍ତି, ଏମିତି ଠକଙ୍କ ବାବଦରେ ସୂଚନା ପାଇଲେ ପ୍ରଶାସନକୁ ଜଣାନ୍ତୁ । ଠକ ଶୁଭ୍ରଜିତକୁ ୨୦୨୦ ଫେବୃଆରୀରେ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ନିଜକୁ WHOର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗ ଦେଇଥିବାରୁ ଗିରଫ କରିଥିଲା ପୋଲିସ । ଫେକ୍‌ ସାର୍ଟିଫିକେଟ୍‌ ତିଆରି କରି ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ଧରି ଚଳାଇଥିଲା ନକଲି କାରନାମା ।

Leave A Reply

Your email address will not be published.