ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ । ନିର୍ବାଚନ ପୂର୍ବରୁ ପରିକ୍ରମା ପ୍ରକଳ୍ପ ନାଁରେ ଘର ଘର ରଥ ବୁଲି ଯେଉଁ ଚାଉଳ ସଂଗ୍ରହ ହୋଇଥିଲା ପ୍ରାୟ ୬ ମାସ ଧରି ପଡିରହିବା ପରେ ଆଜି ଶେଷରେ ନିଲାମ ହୋଇଛି । କୁଇଣ୍ଟାଲ ପିଛା ୨୭ଶହ ୮୦ ଟଙ୍କାରେ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଥିବା ଜଣାଯାଇଛି। ଏହି ଅର୍ପଣ ଚାଉଳକୁ ନିମାପଡ଼ାର ଏକ ରାଇସ୍ ମିଲ୍ କିଣିଥିବା ଜଣାଯାଇଛି।
ମୋଟ୍ ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ତେବେ ଚଳିତ ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନା ବେଳେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ନାଁରେ ମହାପ୍ରଭୁ ଜଗନ୍ନାଥଙ୍କୁ ବସାଇ ଘରୁ ଘରୁ ଚାଉଳ ଏବଂ ଗୁଆ ଆଣିଥିଲେ । ଯାହା ଦୀର୍ଘ ଦିନ ଧରି ପଡିରହିଥିଲା । ଏଥିରୁ କିଛି ଫୋପଡା ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ଜିଲ୍ଲାପାଳ । କହିଥିଲେ, ଯେତିକି ଶ୍ରୀମନ୍ଦିରରେ ବ୍ୟବହାର ହେବା କଥା ତାହା ହୋଇଛି ।
ଆଉ ଯାହା ବ୍ୟବହାରରେ ନ ଲାଗିପାରିବ, ସେଗୁଡିକୁ ଡିଲରମାନେ ଚାହିଁଲେ ତାହା ନେଇପାରିବେ । ଏହା ପରେ ଗତକାଲି ସିଭିଲ୍ ସପ୍ଲାଏ ଅଫିସରଙ୍କ ଦ୍ୱାରା ସଟ୍ ଅକ୍ସନ ଓ ସ୍ପଟ୍ ଅକ୍ସନ ସଂପୂର୍ଣ୍ଣ ହୋଇଥିଲା। କୁଇଣ୍ଟାଲ ପିଛା ୨୭ଶହ ୮୦ ଟଙ୍କାରେ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଥିଲା। ମୋଟ୍ ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି। ସମସ୍ତ ଟଙ୍କାକୁ ମନ୍ଦିର ପ୍ରଶାସନ ଖାତାରେ ଜମା କରାଇ ଦିଆଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ବେଳେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା।