ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ସ୍ଥଗିତ ରହିଲା ପ୍ରଥମ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଖାଉଟି କମିଶନ ଦେଲେ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ତରଫରୁ ଏଲଏଲ.ବି. ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ତିନି ବର୍ଷିଆ ଏଲଏଲ.ବି. ପ୍ରଥମ ସେମିଷ୍ଟରର ସମସ୍ତ ପରୀକ୍ଷା ଓ ଚାଲିଥିବା ପାଞ୍ଚ ବର୍ଷିଆ ବି.ଏ.ଏଲଏଲ.ବି.(ସମ୍ମାନ) ପ୍ରଥମ ସେମିଷ୍ଟର ପରୀକ୍ଷା ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଆଜି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଖାଉଟି କମିସନଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।ସୂଚନାଯୋଗ୍ୟ, ଭଦ୍ରକ ଆଇନ କଲେଜର ଛାତ୍ରଛାତ୍ରୀ ଅନ୍ୟ କଲେଜର ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ଦେବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏପରି ବିଜ୍ଞପ୍ତିକୁ ବିରୋଧ କରି କଲେଜର କେତେକ ଛାତ୍ରଛାତ୍ରୀ ଖାଉଟି କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି କଲେଜ ଏକ ପୁରାତନ ଅନୁଷ୍ଠାନ। ଏଠାରେ ଉପଯୁକ୍ତ ଭିତ୍ତିଭୂମି ରହିଛି। ଏଭଳି ସ୍ଥିତିରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ନିଜ କଲେଜରେ ପରୀକ୍ଷା କେନ୍ଦ୍ର କରାଯିବାରେ କିଛି ବାଧା ନାହିଁ।

ଛାତ୍ରଛାତ୍ରୀ ଅନ୍ୟ କଲେଜରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯିବା ଗ୍ରହଣୀୟ ନୁହେଁ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି ବୋଲି ଆବେଦନରେ ଦର୍ଶାଯାଇଥିଲା। ଖାଉଟି କମିସନ ଏ ସଂପର୍କିତ ଆବେଦନକୁ ଗ୍ରହଣ କରି ପରୀକ୍ଷା କେନ୍ଦ୍ର ନେଇ ବିଶ୍ବବିଦ୍ୟାଳୟ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ମାମଲାରେ କମିସନ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି।

Leave A Reply

Your email address will not be published.