ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲାକନାଗିରିକୁ ଉଡ଼ିବ ବିମାନ । ଆସନ୍ତା ଜାନୁଆରୀରେ ମାଲକାନାଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିମାନ ବନ୍ଦର କାମ ଶେଷ କରିବାକୁ ଯୋଜନା ରଖାଯାଇଛି । ଏହି ଉଲ୍ଲେଖନୀୟ ଭିତ୍ତିଭୂମି ପ୍ରକଳ୍ପ ଏହି ଅଞ୍ଚଳରେ ପରିବର୍ତ୍ତନ ଆଣିବ, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଓଡ଼ିଶାର ଦୁର୍ଗମ ଜିଲ୍ଲାକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ଯୋଡ଼ିବ।ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଗାମୀ ଉଦଘାଟନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ ଏହା ଏକ ଦୀର୍ଘ ଦିନର ସ୍ୱପ୍ନ କୁ ପୂରଣ କରୁଛି ଏବଂ ଓଡ଼ିଶାର ସବୁଠାରୁ ଦୂରବର୍ତ୍ତୀ ଜିଲ୍ଲା ଖୁବ୍ ଶୀଘ୍ର ନିର୍ଦ୍ଧାରିତ ବିମାନ ଯୋଗେ ଯୋଡ଼ି ହେବ। ୯୪.୫ ହେକ୍ଟର ଜମିରେ ପରିବ୍ୟାପ୍ତ ମାଲକାନଗିରି ବିମାନବନ୍ଦର। ଯାହା ଯୋଗାଯୋଗ ବୃଦ୍ଧି ଏବଂ ଏହି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ଦିଷ୍ଟ। ପାଖାପାଖି ୩୩ କୋଟି ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଏହି ବିମାନବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି।
ମାଲକାନଗିରି ବିମାନ ବନ୍ଦର ରାଜ୍ୟର କୋଣ ଅନୁକୋଣରେ ପ୍ରଗତି ଓ ସମୃଦ୍ଧି ଆଣିବା ପାଇଁ ଓଡ଼ିଶା ସରକାରଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରମାଣ ପାଲଟିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା, ବିକାଶର ସୁଫଳ ଯେପରି ସବୁ ନାଗରିକଙ୍କ ପାଖରେ ପହଂଚିପାରିବ, ତାହାକୁ ସୁନିଶ୍ଚିତ କରିବା ପାଇଁ ଏହା ରାଜ୍ୟ ସରକାରଙ୍କ ସଂକଳ୍ପର ପ୍ରତୀକ।ନୂଆବର୍ଷରୁ ମାଲାକାନଗିରି ବିମାନବନ୍ଦରରୁ ବିମାନ ଉଡ଼ିବା ନେଇ 5-ଟି ଅଧ୍ୟକ୍ଷ ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ଏବେ ଡିସେମ୍ବର ଶେଷ ସୁଦ୍ଧା ରନୱେରେ ଟ୍ରାଏଲ ରନ୍ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
ତେଣୁ ନିର୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି, ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଜୟପୁର ବିମାନ ବନ୍ଦର ତୁଳନାରେ ମାଲକାନଗିରି ବିମାନ ବନ୍ଦରର ଲମ୍ବ ଓ ଓସାର ଅଧିକ । ମାଲାକାନଗିରି ବିମାନ ବନ୍ଦରର ରନୱେର ଲମ୍ବ 16ଶହ 20 ମିଟର ହୋଇଥିବା ବେଳେ ଓସାର 30 ମିଟର । ଆବଶ୍ୟକସ୍ଥଳେ ଏହାକୁ 3 ହଜାର ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ ବୋଲି ଜଣାପଡ଼ିଛି । ଆଗାମୀ ଦିନ କେଇଟା ମଧ୍ୟରେ ଏଠାରେ ଡିଜିସିଏ ପକ୍ଷରୁ ଟ୍ରାଏଲ ରନ କରାଯିବ ବୋଲି ଜଣାପଡ଼ିଛି । ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ବିମାନ ବନ୍ଦରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।