ଓଡିଆ ନ୍ୟୁଜ (ବ୍ୟୁରୋ) : ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ମୁଣ୍ଡଳୀରେ ପ୍ରବାହିତ ହେଉଛି ୮ଲକ୍ଷ କ୍ୟୁସେକ୍ ଜଳ । ଏଣୁ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ସ୍ଥିତି ମୁକାବିଲା ନେଇ ଏସଆରସି ଗୁରୁତ୍ୱପୂଣ୍ଣ ବୈଠକ ଡାକିଛନ୍ତି ।୧୫ ଜିଲ୍ଲା ଉପରେ ରହିଛି ପ୍ରଶାସନର ନଜର । ତଳିଆ ଅଂଚଳ ଗୁଡ଼ିକରେ ଏନଡ଼ିଆରଏଫ ଓ ଓଡ଼୍ରାଫ ଟିମ୍ ମୁତୟନ ହୋଇଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଂଚଳ ପ୍ରବାହିତ ହେବ ।
ବିଶେଷ କରି ଆଜି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାକୁ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସେହିପରି ଦୁର୍ବଳ ନଦୀବନ୍ଧଗୁଡିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଆଠଗଡର ସାପୁଆ ନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି ।
ଏଥିପାଇଁ ଆଖପାଖ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି। ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନ କିମ୍ବା କୋଠାଘରକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଜିଲାରେ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ସେହିପରି ଯାଜପୁର ଜିଲାର ୪ଟି ବ୍ଲକକୋରେଇ, ଯାଜପୁର, ବିଞ୍ଝାରପୁର ଓ ଦଶରଥପୁର)ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଥିବା ସୂଚନା ମିଳିଛି।