ଓଡିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର କର୍ତ୍ତୃପକ୍ଷ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅଧିକ ଉଚ୍ଚ ସ୍ଥାନରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ସ୍ଥିତି ମୁକାବିଲା ନେଇ ଏସଆରସି ଗୁରୁତ୍ୱପୂଣ୍ଣ ବୈଠକ ଡାକିଛନ୍ତି । ୧୫ ଜିଲ୍ଲା ଉପରେ ରହିଛି ପ୍ରଶାସନର ନଜର । ତଳିଆ ଅଂଚଳ ଗୁଡ଼ିକରେ ଏନଡ଼ିଆରଏଫ ଓ ଓଡ଼୍ରାଫ ଟିମ୍ ମୁତୟନ ହୋଇଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଂଚଳ ପ୍ରବାହିତ ହେବ। ବିଶେଷ କରି ଆଜି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାକୁ ଆଲର୍ଟ ଜାରି କରାଯାଇଛି।
କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଛି ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ଏହି ସମୟରେ ବହୁ ଶ୍ରଦ୍ଧାଳୁ ବନ୍ୟା ଜଳ ଦେଖିବାକୁ ମନ୍ଦିର ବେଢାକୁ ଯାଉଥିବାରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଏଥିସହ ମା’ଙ୍କ ମନ୍ଦିର ବେଢାକୁ ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ବୁଧବାର ସନ୍ଧ୍ୟା ସମୟରେ ମନ୍ଦିରର ଗର୍ଭଗୃହ ଓ ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ସେବାୟତ ଓ ପରିଚାଳନା କମିଟି ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଦେବତାଙ୍କୁ ରତ୍ନଗିରିସ୍ଥିତ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ମା’ଙ୍କ ପୂଜା ବନ୍ୟା ଆଶ୍ରୟସ୍ଥଳୀରେ ହୋଇଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଭକ୍ତଙ୍କୁ ମନ୍ଦିରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍ ମୁତୟନ କରାଯାଇଛନ୍ତି।