ଲଗାଣ ବର୍ଷା ପ୍ରଭାବରେ କପ୍ତିପଦା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି,ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଏଡ଼ାଇବାପାଇଁ ପ୍ରଶାସନର ଉଦ୍ୟମ ଜାରି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଉପଖଣ୍ଡ ପ୍ରଶାସନ ସଜାଗ ରହିବା ସହିତ ଆପଦା ପ୍ରବନ୍ଧନ ପାଇଁ ସମସ୍ତ ବ୍ୟବସ୍ଥା କରିସାରିଛି ବୋଲି, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରକାଶ ପାଇଛି। ସୂଚନା ଥାଉକି, କପ୍ତିପଦା ଉପଖଣ୍ଡର ଦୁଇଟି ମୁଖ୍ୟ ଡ୍ୟାମ– ସୁନେଇ ଏବଂ କାଳ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା ସୁନେଇ ଡ୍ୟାମର ସାତଗୋଟି ମଧ୍ୟରୁ ୪ ଗୋଟି ଗେଟ୍ ଖୋଲା ହୋଇଥିଲା ବେଳେ, କାଳ ଡ୍ୟାମର ଏକମାତ୍ର ଗେଟ୍ ଖୋଲା ଯାଇଛି। ବର୍ଷା ଜଳ ନିଷ୍କାସନ କାର୍ଯ୍ୟ ଚାଲୁରହିଥିବା ବେଳେ ଉପଖଣ୍ଡ ପ୍ରଶାସନ ନିୟମିତ ଭାବରେ ବନ୍ୟା ସ୍ଥିତି ତଦାରଖ କରୁଛି। ଏଥି ସହିତ ଉପଖଣ୍ଡର ସମସ୍ତ ତହସିଲଦାର, ବିଡ଼ିଓ ଏବଂ ଅନ୍ୟ ସରକାରୀ କର୍ମଚାରୀ ବନ୍ୟାର ସ୍ଥିତିକୁ ନଜର ରଖି ଏହାର ସଠିକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ ପ୍ରକାଶ କରିଛନ୍ତି ।
ଆଜି ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଉପଜିଲ୍ଲାପାଳ ଶ୍ରୀ ବାରିକ ସେଠାରେ ଥିବା ପରିସ୍ଥିତି ବିଷୟରେ ତଦାରଖ କରିବା ସହିତ ସମସ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ ଉପଖଣ୍ଡର ସମସ୍ତ ଅଧିକାରୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଅଛନ୍ତି ଏବଂ ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ରୋଷେଇ ଖାଦ୍ୟ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି। ଯଦି ବର୍ଷା ବନ୍ଦ ହୁଏ, ତେବେ ଉପଖଣ୍ଡର ଅନେକ ସ୍ଥାନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡାଯାଇପାରିବ ବୋଲି ଶ୍ରୀ ବାରିକ କହିଛନ୍ତି।
ସୂଚନାନୁସାରେ, କପ୍ତିପଦା ବ୍ଲକ ମହିଂସାଶୁରି ପୋଲ ରେ ୪ଫୁଟ ଉପେର ସୋନ ନଦୀର ବନ୍ୟାଜଳ ପ୍ରଭାହିତ ହୋଇ ଶାଳଚୁଆ – କପ୍ତିପଦା ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିବା ବେଳେ ଉଦଳା ବ୍ଲକର ଜାଲଦା ଓ ମଦନାପାଳ, ଭୀମତାଳି, ଆଦିପୁର ଗ୍ରାମର ଅନେକ ଘର ଜଳବନ୍ଦି ହୋଇ ରହିଥିବା ବେଳେ, ସିଦ୍ଧେଶ୍ୱର ନାୟକ, ବିଡ଼ିଓ, କପ୍ତିପଦା, ଦେବଯାନୀ ଭୂୟାଁ, ବିଡ଼ିଓ, ଉଦଳା ଏବଂ କରୁଣାକର ଢେଂଡା, ବିଡ଼ିଓ, ଗୋପବନ୍ଧୁ ନଗର ପ୍ରମୁଖ ବନ୍ୟା ପ୍ରଭାବିତ ଗ୍ରାମ ମାନଙ୍କୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ନଦୀଜଳ ନିୟତ୍ରଣ ପାଇଁ ଦୁଇଟି ଜଳସେଚନ ବିଭାଗ ସହିତ କପ୍ତିପଦା ଉପଖଣ୍ଡ ପ୍ରଶାସନ ତରଫରୁ ନଜର ରଖାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କପ୍ତିପଦା ଉପଖଣ୍ଡର ବିଭିନ୍ନ ସ୍ଥାନରେ ୧୦୯ ମିଲିମିଟର ବର୍ଷା ହୋଇଥିଲା। ଏହି ବର୍ଷାର ପରିମାଣ ଆଗାମୀ ୨୪ ଘଣ୍ଟା ମଧ୍ୟରେ କମିବାର ସମ୍ଭାବନା ଅଛି ବୋଲି ସୂଚନା ଅଛି ଏବଂ ପାରିପାର୍ଶ୍ଵିକ ପରିସ୍ଥତିକୁ ଦେଖି ସମ୍ଭାବ୍ୟ ବନ୍ୟାକୁ ଏଡାଇ ଦିଆଯାଇପାରିବ।