ବାରିପଦାରେ ବନ ମହୋତ୍ସବ ସପ୍ତାହ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ କୁ “ବନ ମହୋତ୍ସବ ସପ୍ତାହ” ଭାବରେ ପାଳନ କରାଯାଇଛି । ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇ ଆସୁଛି। ଗତ ଏକ ଦଶନ୍ଧି ହେଲା କେବଳ ଗଛକଟା ଯୋଗୁଁ ଦେଶର ଜଙ୍ଗଲ ପରିମାଣ ୧୬ ପ୍ରତିଶତ କମି ଆସିଛି।

ତେଣୁ ପୂର୍ବାପେକ୍ଷା ଏବେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବନ ମହୋତ୍ସବ ପାଳନ ଅନେକ ଗୁରୁତ୍ବ ବହନ କରୁଛି। ବିଶ୍ବର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଏକ ମହୋତ୍ସବର ଅଂଶବିଶେଷ କରାଯାଇଛି। ଏହି ସପ୍ତାହରେ ଦେଶର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିସର ସମେତ ଘରୋଇ ତଥା ସାର୍ବଜନୀନ ଖାଲି ସ୍ଥାନଗୁଡ଼ିକରେ ବୃକ୍ଷ ଲଗାଯିବାକୁ ପ୍ରୋତ୍ସାହିତ କରାଯାଉଛି। ଏହି ପରିପ୍ରେକ୍ଷିରେ ବାରିପଦା ବନଖଣ୍ଡ ପକ୍ଷରୁ ଏକ ଚାରା ବଣ୍ଟନ କେନ୍ଦ୍ର ଓ ଏକ ଭ୍ରାମ୍ୟମାଣ ଚାରା ବିତରଣ ରଥ (ସବୁଜ ରଥ)ର ଶୁଭାରମ୍ଭ କରାଯାଇଛି । ସବୁଜ ରଥ ଟି ପ୍ରତ୍ୟେକ ଗାଁ ଓ ଗଳିକନ୍ଦିରେ ବୁଲି ଲୋକଙ୍କୁ ଚାରା ବଣ୍ଟନ କରିବ ।

ଚଳିତ ବର୍ଷ ୧ଲକ୍ଷ ଚାରା ବଣ୍ଟନ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିଲା ବେଳେ ଗ୍ରାମାଞ୍ଚଳ ଲୋକଙ୍କୁ ୧ଟଙ୍କା ମୂଲ୍ୟରେ ୧୦ ଟି ଚାରା ଓ ସହରାଞ୍ଚଳ ଲୋକଙ୍କୁ ୧ଟଙ୍କା ରେ ୫ଟି ଚାରା ପ୍ରଦାନ କରାଯିବ । ଏହାଛଡା ବାରିପଦା ବନଖଣ୍ଡ ଅଧିନ ୭ଟି ବନାଞ୍ଚଳରେ ୨ଲକ୍ଷ ଚାରା ରୋପଣ ପାଇଁ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ବନମହୋତ୍ସବ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରେ ଚାରା ରୋପଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ଏ.ଉମା ମହେଶ ।

Leave A Reply

Your email address will not be published.