ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ହସ୍ପିଟାଲରେ ଭର୍ତ୍ତି । ଅଣ୍ଟାରେ ଆହତ ଲାଗିବାରୁ ଯଶୋଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘରୁ ବାହାରିଲା ବେଳେ ତାଙ୍କ ପାଦ ଖସିଯିବାରୁ ସେ ପଡ଼ିଯାଇଥିଲେ । ତାଙ୍କ ଅଣ୍ଟାରେ ମାଡ଼ ହୋଇ ହାଡ଼ ଭାଙ୍ଗିଯାଇଛି । ଫଳରେ ତାଙ୍କୁ ତୁରନ୍ତ ଯଶୋଦା ମେଡିକାଲ ଆଡମିଟ୍ କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାଭାଲ୍ଲି ସ୍ଥିତ ଫାର୍ମ ହାଉସରେ ଗୋଡ଼ ଖସିଯିବାରୁ ତଳେ ପଡିଯାଇ ଆହତ ହୋଇଥିଲେ ବିଆରଏସ ପାର୍ଟିର ମୁଖ୍ୟ ତଥା ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଯେଉଁଥିପାଇଁ ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର ହିପ ସର୍ଜରୀ କରାଯାଇଥିବା ନେଇ ଜଣାପଡିଛି । ହସ୍ପିଟାଲରେ ଏକ ଡାକ୍ତରୀ ଟିମ ତାଙ୍କ ଚିିକିତ୍ସା କରୁଛନ୍ତି । ତେବେ ଫାର୍ମ ହାଉସରେ ତଳେ ପଡିଯିବାରୁ ତାଙ୍କ ଅଣ୍ଟା ତଳକୁ ଆଘାତ ଲାଗିଥିଲା ।ଅନ୍ୟପଟେ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ବିଭିନ୍ନ ଦଳର ନେତାମାନଙ୍କ ସୁଅ ଛୁଟିଛି । ସୋସିଆଲ ମିଡିଆରେ ତାଙ୍କ ଶୁଭେଚ୍ଛୁ ମାନେ ସୁସ୍ଥ ହେବା ନେଇ କାମନା କରିଛନ୍ତି ।
ଆଉ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେସିଆରଙ୍କ ସ୍ବାସ୍ଥ୍ୟବସ୍ଥାରେ ଖୁବ ଶୀଘ୍ର ସୁଧାର ଆସୁ ବୋଲି କାମନା କରିଛନ୍ତି । ସେପଟେ କେସିଆରଙ୍କ ଝିଅ କବିତା କଲଭାକୁନ୍ତଲା ମଧ୍ୟ ଏନେଇ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି,” ବିଆରଏସ ସୁପ୍ରିମୋ କେସିଆର ସାମାନ୍ୟ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସମର୍ଥନ ଓ ଶୁଭେଚ୍ଛୁଙ୍କ ପ୍ରାର୍ଥନାରେ ବାପା ଖୁବଶୀଘ୍ର ସେ ସୁସ୍ଥ ହେବେ । ସମସ୍ତ ଭଲ ପାଇବା ପାଇଁ ଧନ୍ୟବାଦ ।”