କାଲି ରାଜଧାନୀରେ ଏୟାର ଶୋ ପାଇଁ ସରିଲା ଫୁଲ ଡ୍ରେସ୍ ରିହରସଲ: ଡିସିପି ପୋଲିସ ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନୀଳ ଆକାଶରେ ଆଖି ଝଲସିଲା ଭଳି ସମରକଳା। ଦମ୍‌ ଦେଖାଇଲେ ହକ୍‌ ଏୟାରକ୍ରାଫ୍ଟ । ଆରୋ ଓ ଡାଇମଣ୍ଡ ଫର୍ମେସନ ପ୍ରଦର୍ଶନ । ଏହାସାଙ୍ଗକୁ ଆକାଶରେ ହକ୍‌ ବିମାନର ସୁଇସାଇଡ଼ାଲ କ୍ରସିଂ, ହରାଇଜଣ୍ଟାଲ କ୍ରସିଂ ଓ ଭର୍ଟିକାଲ କ୍ରସିଂ । ଭୁବନେଶ୍ୱରରେ ଆସନ୍ତାକାଲିର ସୂର୍ଯ୍ୟକିରଣ ସୋ ପୂର୍ବରୁ ଏହା ହେଉଛି ବାୟୁସେନା ଟିମ୍‌ର ଫୁଲ ଡ୍ରେସ ରିହରସଲ ସମୟର ଦୃଶ୍ୟ । ପ୍ରଥମ ପର୍ଯ୍ୟାୟରେ ୯ଟି ହକ୍‌ ଏୟାରକ୍ରାଫ୍ଟ ବିଭିନ୍ନ ସମରକଳା ଦେଖାଇଥିଲେ । ପରେ ୨ଟି ହକ୍‌ ଏୟାରକ୍ରାଫ୍ଟ ବିଭିନ୍ନ କ୍ରସିଂରେ ବେଶ ରୋମାଞ୍ଚ ଭରିଥିଲେ । ୨୦ ମିନିଟର ଏହି ଅଭ୍ୟାସରେ ନାନା କଳା କୌଶଳ ପ୍ରଦର୍ଶନ କରିଛି ସୂର୍ଯ୍ୟକିରଣ ଟିମ ।

ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆସନ୍ତାକାଲି ଦିନ ୧୦ରୁ ୧୧ଟା ମଧ୍ୟରେ ସୂର୍ଯ୍ୟକିରଣ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି । ୧୮ରୁ ୨୦ମିନିଟର ସୂର୍ଯ୍ୟକିରଣ ଏୟାର ସୋ’ ହେବ । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ଆକାଶରେ ସମରକଳା ଦେଖାଇବ ବାୟୁସେନା ଟିମ୍‌। ସୋ’ର ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏ ବିମାନ ୧୬ଶହ କିମି ଘଣ୍ଟା ପ୍ରତି ବେଗରେ ୨୦୦ରୁ ୩୦୦ ଫୁଟ ଉଚ୍ଚରେ କଳାକୌଶଳ ପ୍ରଦର୍ଶନ କରିବେ । ଆଜି ଫୁଲ ଡ୍ରେସ ରିହରସଲରେ ବାୟୁସେନା ଟିମ୍‌ର ସମରକଳା ଓ ପରାକ୍ରମ ଦେଖି ଅଭିଭୂତ ହୋଇଛନ୍ତି ଦର୍ଶକ ।  ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବରିଷ୍ଠ ଅଧିକାରଙ୍କ ସହ ୧୫ ପ୍ଲାଟୁନ୍‌ ପୋଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିଭଳି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.