ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଯୋଡିପଥର ଗ୍ରାମକୁ ବାଘ ଆସିବା ଭିଡିଓ ଏବେ ମୋବାଇଲ ରେ ମୋବାଇଲକୁ ଘୁରି ବୁଲୁଛି । ଏ ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଓ ଆଖ ପାଖ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ପୁର୍ବରୁ ଅଞ୍ଚଳରେ କୌଣସି ବାଘଥିବା ଦୃଷ୍ଟି କୁ ଆସିନଥିବା ବେଳେ ଏବେ ଅଧରାତିଆ ଗ୍ରାମ କୁ ଆସିଥିବା ବନ୍ୟଜନ୍ତୁ ଟି ଲୋକଙ୍କୁ ଭୟଭୀତ କରିଛି ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ବନାଞ୍ଚଳ ର ଚାନ୍ଦିପୁଟ ନିକଟରେ ରହିଛି ଲକ୍ଷାରୀ ଅଭୟାରଣ୍ୟ । ଭାଇରାଲ ହେଉଥିବା ଭିଡିଓ ରେ ଦୃଶ୍ୟମାନ ହେଉଥିବା ବନ୍ୟଜନ୍ତୁ ଟି ବିରାଡ଼ି ଜାତୀୟ ପଶୁ ଏବଂ ଶରୀର ଲମ୍ବା , ଲାଞ୍ଜ ମଧ୍ୟ ଲମ୍ବା ଥିବା ଜଣାପଡ଼ୁଛି । ଯାହା ଫଳରେ ଏହା ଛୋଟିଆ ବାଘ ବୋଲି କୁହାଯାଉଛି। ସୁଚନା ଅନୁଯାୟୀ , ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟବର୍ତ୍ତୀ ଯୋଡିପଥର ଗ୍ରାମରେ କିଛି କଲେଜ ପଢୁଆ ପିଲା ମାନେ ଘର ଭଡ଼ା ନେଇ ରହୁଥିବା ବେଳେ ଗତ ୨୭ ତାରିଖ ରାତିରେ ପ୍ରାୟ ୧୧:୪୫ ସମୟରେ ଦୁଇ ଜଣ ଛାତ୍ର ବାହାରକୁ ବାହାରିଥିଲେ । ସେହି ସମୟରେ ଗ୍ରାମ କୋଠ ଘର ନିକଟରୁ ପ୍ରଥମେ ଛେଳି ଗୁହାଳ ଏବଂ ପରେ କୁକୁଡ଼ା ଘର ନିକଟକୁ ଏକ ବନ୍ୟଜନ୍ତୁ ଛପି ଛପି ଆସିଥିଲା ।
ଯାହା ବାଘ ଭଳି ଦିଶୁଥିବା ଜାଣି ଦୁଇ ଜଣ ଛାତ୍ର ଭୟରେ ଲୁଚି ଦୂରରୁ ନିଜ ମୋବାଇଲ ରେ ଏହି ଭିଡିଓ ଉତ୍ତୋଳନ କରିଥିଲେ । ପରେ ଗ୍ରାମର କୁକୁର ମାନେ ଭୋକିବା ଆରମ୍ଭ କରିବା ପରେ ସେଠାରୁ ଦୌଡ଼ି ପଳାଇଥିବା ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତି ଜଣକ କହିଛନ୍ତି। ଉତ୍ତୋଳନ ହୋଇଥିବା ଭିଡିଓ ରୁ ସ୍ବଷ୍ଟ ଅନୁମେୟ ହୋଇଛି ଯେ ବନ୍ୟଜନ୍ତୁ ବିରାଡ଼ି ଜାତୀୟ ବୋଲି l ଅନ୍ୟପକ୍ଷରେ ଯୋଡିପଥର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଏ ପର୍ଯ୍ୟନ୍ତ କୌଣସି ପଶୁ କିମ୍ବା କୁକୁଡ଼ା କ୍ଷତି ହୋଇନାଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ବାଘ ଆସିବା ଘଟଣା ସମସ୍ତ ଙ୍କୁ ବିଚଳିତ କରିଥିବା ବେଳେ ସଂନ୍ଧ୍ୟା ହେଲେ ଗ୍ରାମବାସୀ ଘରେ କବାଟ କିଳି ଶିଘ୍ର ସୋଇପଡୁଥିବା କହିଛନ୍ତି । ଏ ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଗତ ତିନି ବର୍ଷ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳ ରେ ବାଘ ଥିବା କୌଣସି ରେକର୍ଡ ନାଁହି । ଯଦି ମୋବାଇଲ ରେ ଭିଡିଓ ଭାଇରାଲ ହେଉଛି ତାହା ତଦନ୍ତ ପରେ ସ୍ବଷ୍ଟ ଭାବେ ଜଣାପଡ଼ିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।