ଚାଷୀଙ୍କ ପାଇଁ ଖୁସି ଖବର, ୨ ହେକ୍ଟର ଚାଷ ଜମିର ପ୍ରିମିୟମ ଦେବେ ସରକାର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମାର ପ୍ରିମିୟମ ରାଶି  ବହନ କରିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଏହାକୁ କାର୍ଯ୍ୟକାରୀ କରାଯାଇଛି ସତ, କିନ୍ତୁ ସମୁଦାୟ ଜମି ନୁହେଁ ବରଂ ୨ ହେକ୍ଟର(୫ ଏକର) ପର୍ଯ୍ୟନ୍ତ ଜମି ଉପରେ ଏହି ସୁବିଧା ମିଳିବ। ଏହା ଦ୍ବାରା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଲାଭାନ୍ବିତ ହେବେ ବୋଲି ଆଶା କରାଯାଉଛି। ସମବାୟ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଖରିଫ-୨୩ ଏବଂ ରବି-୨୫-୨୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲବୀମାର ବୀମା ଚକ୍ର କାର୍ଯ୍ୟକାରୀ କରାଯାଉଛି।

ଏଥିନେଇ-ଟେଣ୍ଡର ମାଧ୍ୟମରେ ଏଗ୍ରିକଲ୍‌ଚରାଲ୍‌ ଇନ୍‌ସୁରାନ୍ସ କମ୍ପାନି ଅଫ୍‌ ଇଣ୍ଡିଆ ଲିମିଟେଡ୍‌, ଏସ୍‌ବିଆଇ ଜେନେରାଲ ଇନ୍‌ସୁରାନ୍ସ କମ୍ପାନି ଲିମିଟେଡ୍‌, ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍‌ସୁରାନ୍ସ ଲିଃ ଏବଂ ରିଲାୟାନ୍ସ ଜିଆଇସି ଲିମିଟେଡ୍‌କୁ ଚୟନ କରାଯାଇଛି। ଏଥିରେ ୧୦ରୁ ୧୨ ଲକ୍ଷ ଚାଷୀମାନଙ୍କ ପାଇଁ ୧୦ ଲକ୍ଷ ହେକ୍ଟର ପରିମିତ ଚାଷଜମିକୁ ବୀମାଭୁକ୍ତ କରାଯାଉଛି।

ମୟୂରଭଞ୍ଜ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଦେବଗଡ଼କୁ ଏଗ୍ରିକଲ୍‌ଚରାଲ୍‌ ଇନ୍‌ସୁରାନ୍ସ କମ୍ପାନି ଅଫ୍‌ ଇଣ୍ଡିଆ ଲିମିଟେଡ୍‌, ଗଞ୍ଜାମ, କଳାହାଣ୍ଡି, ସୁବର୍ଣ୍ଣପୁର, ପୁରୀ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, ଜଗତସିଂହପୁରକୁ ରିଲାୟାନ୍ସ ଜିଆଇସି ଲିମିଟେଡ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, ନୁଆପଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବାଲେଶ୍ବର, ମାଲକାନଗିରି, ନୟାଗଡ଼, ଢେଙ୍କାନାଳକୁ ଏସ୍‌ବିଆଇ ଜିଆଇସି ଲିମିଟେଡ୍‌, କେନ୍ଦୁଝର, କଟକ, ଖୋର୍ଧା, ରାୟଗଡ଼ା, ଅନୁଗୁଳ ଏବଂ ଝାରସୁଗୁଡ଼ାକୁ ଫ୍ୟୁଚର୍‌ ଜେନେରାଲି ଇଣ୍ଡିଆ ଇନ୍‌ସୁରାନ୍ସ ଲିମିଟେଡକୁ ଦାୟିତ୍ବ ଦିଆଯାଇଛି।ଖରିଫରେ ୩୦ ଜିଲ୍ଲାରେ ଧାନ, ୧୬ ଜିଲ୍ଲାର ୭୫ ବ୍ଲକରେ ଚିନାବାଦାମ, ୯ ଜିଲ୍ଲାର ୪୪ ବ୍ଲକରେ କପା, ୫ ଜିଲ୍ଲାର ୧୭ ବ୍ଲକରେ ହଳଦୀ, ୭ ଜିଲ୍ଲାର ୨୫ ବ୍ଲକରେ ଅଦା, ୧୪ ଜିଲ୍ଲାର ୧୨୧ ବ୍ଲକରେ ହରଡ଼, ୬ ଜିଲ୍ଲାର ୬୬ ବ୍ଲକରେ ମାଣ୍ଡିଆକୁ ସାମିଲ କରାଯାଇଛି।

ପାଣିପାଗର ଅନିଶ୍ଚିତତା କାରଣରୁ ଚାଷୀମାନଙ୍କ ଫସଲ ଉତ୍ପାଦନରେ କ୍ଷତିରୁ ଏହି ଫସଲ ବୀମା ଯୋଜନା ସୁରକ୍ଷା ପ୍ରଦାନ କରିଥାଏ। ଏଥି ଅନ୍ତର୍ଗତରେ ବିହନ ବୁଣିବାରେ ବାଧା, ଉତ୍ପାଦନର ମଧ୍ୟଭାଗରେ ପ୍ରତିକୂଳ ପରିସ୍ଥିତି ଦେଖାଦେବା, ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ହେତୁ କୃଷକଙ୍କ ଅନ୍ତିମ ଅମଳ କ୍ଷତି ଆଦି ବୀମାଭୁକ୍ତ ହୋଇଥାଏ। ଭାରତ ସରକାରଙ୍କ ଦ୍ୱାରା ପ୍ୟାନେଲଭୁକ୍ତ ବୀମା କମ୍ପାନିଗୁଡ଼ିକ ମଧ୍ୟରେ ଏକ ଖୋଲା ବିଡିଂ ପ୍ରକ୍ରିୟା ମାଧ୍ୟମରେ ପ୍ରତି ତିନିବର୍ଷରେ ଥରେ ମନୋନୀତ ବୀମା କମ୍ପାନିଗୁଡ଼ିକ ଦ୍ୱାରା ଏହି ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥାଏ।

କୃଷକମାନେ ସାଧାରଣତଃ ଖରିଫ ପାଇଁ ବୀମାଭୁକ୍ତ ରାଶିର ୨ ପ୍ରତିଶତ ଏବଂ ରବି ଫସଲ ପାଇଁ ୧.୫ ପ୍ରତିଶତ (ବାଣିଜ୍ୟିକ ଫସଲ ବ୍ୟତୀତ) ଏବଂ ବାଣିଜ୍ୟିକ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ ଦେଇଥାନ୍ତି। ପ୍ରିମିୟମ ଅବଶିଷ୍ଟ ଅର୍ଥରାଶି ରିହାତି ଭାବେ ପ୍ରଦାନ କରାଯାଇଥାଏ।

Leave A Reply

Your email address will not be published.