ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶୋକାକୁଳରେ ଫାଟି ପଡୁଛି ଗାଁ ଦାଣ୍ଡ। ନାତିର ମୃତ୍ୟୁ ଖବର ପାଇ ଜେଜେର ହୃଦଘାତରେ ଘଟିଛି ମୃତ୍ୟୁ। ଏଭଳି ହୃଦୟବିଦାରକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ବଡ଼ଭୀମରାଜପୁର ଗ୍ରାମରେ।ମୃତକ ହେଲେ ବଡ଼ଭୀମରାଜପୁର ଗ୍ରାମର ସେକ ଆଜାଦ ମହମ୍ମଦ।
ବୟସ ୨୫। ସୂଚନାମୁତାବକ ସେକ ଆଜାଦ ମହମ୍ମଦ କୋରାପୁଟର ପଟାଙ୍ଗି ଗାଲିଗାବଦର ଜଳପ୍ରପାତକୁ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲାବେଳେ ଗତ ୨୭ ଡିସେମ୍ବରରେ , ପାହାଡ଼ ଉପରୁ ଗୋଡ଼ଖସି ମୃତ୍ୟୁବରଣ କରିଥିବା ବେଳେ ସେଠିକାର ଫାୟାର ବ୍ରିଗେଡ ସହଯୋଗରେ ଶବକୁ ଉଦ୍ଧାର କରାଯାଇଥିଲା।
ସେଠିକାର ପୋଲିସର ସହଯୋଗରେ ଆଜି ତାଙ୍କ ବାସଭବନ କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ବଡ଼ଭୀମରାଜପୁର ଗାଁରେ ଶବ ପହଂଚି ଥିବା ବେଳେ ନାତିର ମୃତ୍ୟୁର ଖବର ଶୁଣି ଜେଜେ ସେକ ଅକିଲ ମହମ୍ମଦଙ୍କ ହଠାତ୍ ହୃଦଘାତ ହେବାରୁ ମୃତ୍ୟୁ ଘଟିଥିଲା। ଶୋକାକୁଳ ପରିବେଶରେ ଜେଜେ ଓ ନାତିର ଶବକୁ ଏକ ସଙ୍ଗରେ କବର ଦିଆଯାଇଥିଲା। ଏହି ଘଟଣାର ଖବର ପାଇ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ମୃତକଙ୍କ ଘରେ ପହଂଚି ପରିବାର ବର୍ଗକୁ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଥିଲେ।