ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତ୍ୱରିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ ହାସଲ କରିଛି ଇଷ୍ଟକୋଷ୍ଟ ରେଲୱେ । ମାତ୍ର ୩ ଘଣ୍ଟା ଭିତରେ ୩୬ ମିଟର ଦୀର୍ଘ ୫ଟି ବିଶାଳ ଷ୍ଟିଲ୍ ଗାର୍ଡ ସ୍ଥାପନ କରିବାରେ ସଫଳତା ମିଳିଛି। ତେବେ ସୂଚନା ଅନୁସାରେ, ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ଭିଏସଏସ ନଗର ଠାରେ ଏକ ରୋଡ ଓଭର ବ୍ରିଜ (ଆରଓବି) ପ୍ରକଳ୍ପର ଅଂଶ ଭାବରେ ଏହି ଗାର୍ଡରଗୁଡ଼ିକ ସ୍ଥାପନ କରାଯାଇଛି ।
ଏହି ଜଟିଳ କାର୍ଯ୍ୟ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ସହଯୋଗରେ ୩ ଘଣ୍ଟିଆ ଟ୍ରାଫିକ୍ ଏବଂ ଓଭରହେଡ୍ ଇକୁଇପମେଣ୍ଟ (ଓଏଚଇ) ବ୍ଲକ ନିଆଯାଇ ରେଳପଥର ନିର୍ମାଣ ବିଭାଗ ଦ୍ୱାରା ସମ୍ପନ୍ନ କରାଯାଇଛି । ବିଶାଳ କ୍ରେନ୍ ସାହାଯ୍ୟରେ ଏହାକୁ ସ୍ଥାପନ କରାଯିବା ବେଳେ, ସେହି ବାଟ ଦେଇ ୩ ଘଣ୍ଟା ପାଇଁ ଟ୍ରାଫିକ୍ ଚଳାଚଳ ବନ୍ଦ ରଖାଯାଇଥିଲା ଏବଂ ଓଭରହେଡ୍ ଇକ୍ବିପମେଣ୍ଟ ବ୍ଲକ୍ ନିଆଯାଇଥିଲା।
ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନାଇ ମେନ୍ ଲାଇନରେ ଏହା ଏକ ଅତ୍ୟନ୍ତ ଚାଲେଞ୍ଜିଂ ଅପରେସନ ହୋଇଥିବା ବେଳେ, ଏହାକୁ ସଫଳତାର ସଂପାଦନ କରିଛି ରେଳପଥର ନିର୍ମାଣ ବିଭାଗ। ପୂର୍ବରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଓ ଅଣ୍ଡରଗ୍ରାଉଣ୍ଡ କେବୁଲ ସ୍ଥାନାନ୍ତର ଆଦି କାର୍ଯ୍ୟ ସରିଥିବା ବେଳେ, ଆଗକୁ ଡେକ୍ ସ୍ଲାବ୍ ସ୍ଥାପନ, କ୍ରାସ୍ ପ୍ରତିବନ୍ଧକ ଏବଂ ଆକ୍ସନ୍ ଜଙ୍କସନ୍ ଆଦି କରାଯିବ। ୪୮.୨ କୋଟି ଟଙ୍କା ନିବେଶରେ ହୋଇଥିବା ଏହି ରେଲୱେ ଓଭରବ୍ରିଜ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଆଶା ରଖିଛି ଇଷ୍ଟକୋଷ୍ଟ ରେଲୱେ।