ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ହିଟ୍ ମ୍ୟାନ ରୋହିତ ଶର୍ମା ଓ ତାରକା ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ଖବର । ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ରୋହିତ ଏବେ ଆଇପିଏଲର ଲୋକପ୍ରିୟ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର କମାଣ ଛାଡିବେ । ଦୀର୍ଘ ୧୦ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତନ । ଆଇପିଏଲ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ ଘୋଷଣା ।
ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ଅଧିନାୟକ ପଦବୀ । ଅର୍ଥାତ ୨୦୨୪ ଆଇପିଏଲ ସଂସ୍କରଣ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଦନେ ଏହି ସୂଚନା ଦେଇଛନ୍ତି । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ । ରୋହିତଙ୍କ ନେତୃତ୍ୱରେ ଦଳ ପାଂଚଥର ଆଇପିଏଲ ଟାଇଟଲ ଜିତିଛି । ଏଣୁ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ରୋହିତଙ୍କୁ ଆଇପିଏଲର ସଫଳତମ ଅଧିନାୟକ ଭାବେ ଗଣା ଯାଏ ।
ସେହିପରି ହାର୍ଦ୍ଦିକ ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇଥିଲେ । ତେବେ ହାର୍ଦ୍ଦିକ ଗୁଜରାଟ ହାତ ଛାଡି ଏବେ ମୁମ୍ବାଇର ହାତ ଧରିବାକୁ ନିଷ୍ପତି ନେଇଛନ୍ତି । କାରଣ ମୁମ୍ବାଇ ଇଣ୍ଡିଆନ୍ସ ୧୫କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସ ଠାରୁ କିଣି ନେଇଥିଲେ । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ ସଂସ୍କରଣରେ ବିଜେତା ହୋଇଥିବା ବେଳେ ୨୦୨୩ରେ ରନର୍ସଅପ୍ ହୋଇଥିଲା ।
ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପରବର୍ତୀ ସଂସ୍କରଣରେ ସଫଳ ହେବା ନେଇ ଫ୍ରାଂଚାଇଜ ଆଶାବାଦୀ ଅଛି । ଭାରତ ପାଇଁ ପ୍ରାୟ ବର୍ଷେ ହେବ ଟି-୨୦ ମ୍ୟାଚ ଖେଲି ନଥିବା ରୋହିତ ଏବେ ଟି-୨୦ ଛାଡି ଦିନିକିଆ ଓ ଟେଷ୍ଟ ଉପରେ ଫୋକ୍ସ କରୁଥିବା ଭଳି ଲାଗୁଛି । ଏଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁମ୍ବାଇ ଇଣ୍ଡିଆନ୍ସ ଏପରି ନିଷ୍ପତି ନେଇଛି ।