ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଛାତିଥରା ଟ୍ରେନ ଦୁର୍ଘଟଣା ଘଟିଥିବା ବାଲେଶ୍ୱର ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହାସହ ସେଠାରେ ଥିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଉ କିଛି ସମୟରେ ପହଞ୍ଚି ସ୍ଥିତି ସମୀକ୍ଷା କରିବାର ସୂଚନା ରହିଛି । ବର୍ତ୍ତମାନ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି ।
ଏହାସହ ମୃତକ ଓ ଆହତଙ୍କ ପରିବାର ସହ ଯୋଗାଯୋଗ ସ୍ଥାପନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିସାରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସେହିପରି ଘଟଣା ଉଚ୍ଚସ୍ତରୀୟ ତଦନ୍ତପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଏହି ଦୁର୍ଘଟଣାପାଇଁ ଦାୟୀ ତାହାର ତଦନ୍ତ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି।ଅନ୍ୟପକ୍ଷରେ ମୃତାହତଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।
ସେହିପରି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।ଟ୍ରେନ ଟ୍ରାଜେଡ଼ିରେ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପରିବାର ପିଛା ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।
ଟ୍ରେନ ଟ୍ରାଜେଡ଼ି ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି । ଆଜି ପାଇଁ ବାତିଲ ହୋଇଛି ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ।