ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆହୁରି ବଢ଼ିବ ତାତି। ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ମଧ୍ୟରେ ଆଗକୁ ଆହୁରି ଅସହ୍ୟ ଗରମ ଲାଗି ରହିବ। ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତିରେ ଛଟପଟ ହେବେ ଲୋକେ। ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ ।ଦିନର ସବୋର୍ଚ୍ଚ ତାପମାତ୍ରା ପାଖାପାଖି ୨ରୁ ୩ଡିଗ୍ରୀ ବଢ଼ିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଠାରୁ ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।
ମୟୂରଭଂଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୩୧ ତାରିଖ ଦିନ ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର,ଅନୁଗୁଳ, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧ ତାରିଖ ପାଇଁ ମଧ୍ୟ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୨ ଦିନ ସବୋର୍ଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ।
ପାଣିପାଗ ବିଶେଷଜ୍ଞ କହିବାନୁସାରେ ଆଭ୍ୟନ୍ତ୍ରୀଣ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ କ୍ରମଶଃ ବଢ଼ିବ । ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ।କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ଜନଜୀବନ ବାଧାପ୍ରାପ୍ତ ହେଉଛି । ଏପରିକି ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।