ଓଡ଼ିଆ ନ୍ୟୁଜ୍: ତତଲା କରେଇରେ ସିଝୁଛି ଓଡିଶା। ଅସ୍ତବ୍ୟବସ୍ତ ଲୋକେ । ସକାଳ ୮ଟାରୁ ବାହାରିବା ହେଉଛି ମୁସ୍କିଲ୍ । ଏବେ ତାତିରୁ ନିସ୍ତାର ନାହିଁ । ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ ।୧୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ଗତକାଲି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିଲା ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ , ସୋମବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । ବଲାଙ୍ଗୀର, ଝାରସୁଗୁଡ଼ା,ଭବାନୀପାଟଣା, ସୁନ୍ଦରଗଡ଼ ଓ ଅନୁଗୁଳରେ ୪୩ ଡିଗ୍ରୀ, ନୂଆପଡ଼ା ଓ ବାରିପଦାରେ ୪୨, ବରଗଡ଼ ଓ ରାଉରକେଲାରେ ୪୧ ଡିଗ୍ରୀ ରହିପାରେ । ଆଜି ଝାରସୁଗୁଡା ଜିଲାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।