ଓଡ଼ିଆ ନ୍ୟୁଜ୍: ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ଶ୍ରମିକଙ୍କ ପାଇଁ କଟକଣା। ଏପ୍ରିଲ ୧ରୁ ଜୁନ୍ ୧୫ ମଧ୍ୟରେ ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା। ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଲାଗୁ। ଜରୁରୀ ଥିଲେ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ।
ଏନେଇ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ସମୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହ ଯଦି କୌଣସି ଜରୁରୀ କାର୍ଯ୍ୟ ଅଛି କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ କାମରୁ ବିରତି ଦିଆଯାଇନପାରୁଛି, ତେବେ ନିଯୁକ୍ତିଦାତାମାନେ ଶ୍ରମିକଙ୍କ ପାଇଁ ସତର୍କତାମୂଳକଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳ, ଓଆରଏସର ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରିବାକୁ ମଧ୍ୟ କୁହାଯାଇଛି।