ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ହେମନ୍ତ ସୋରେନ । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟ ନେତାଙ୍କ ମଧ୍ୟରେ ଔପଚାରିକ ସାକ୍ଷାତ,ଆଲୋଚନା ହୋଇଛି। ପ୍ରାୟ ୩ ବର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଜେଲ୍‌ରୁ ବାହାରିବା ପରେ ପ୍ରଥମ ଥର ପାଇଁ ହେମନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ପୁଣି ମୁଖ୍ୟମନ୍ତ୍ରୀ ପଦ ପାଇବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ୍। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବୈଠକର ଫଟୋ ସେୟାର କରି ସୋରେନ ବାର୍ତ୍ତାଳାପକୁ ସୌଜନ୍ୟ ମୂଳକ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହାର ଫଟୋ ସେୟାର କରାଯାଇଛି। ଜମି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ ଗତ ଜୁନ୍‌ ୨୮ରେ ହେମନ୍ତ ସୋରେନ ଜେଲ୍‌ରୁ ମୁକୁଳିଥିଲେ। ଏହାରେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ପାଇଁ ମୋଦିଙ୍କୁ ଭେଟିଥିବା ବେଳେ ଝାଡ଼ଖଣ୍ଡର ବିକାଶ ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି। ଏହି ସମୟରେ ଝାଡ଼ଖଣ୍ଡ ବିକାଶ ନିମନ୍ତେ ସେ କେନ୍ଦ୍ର ନିକଟରୁ ପାଣ୍ଠି ଦାବି କରିଥିବା ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଶେଷକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବ । ତେଣୁ ପୁଣି ଥରେ ଲୋକଙ୍କ ଆସ୍ଥା ଭାଜନ ହେବା ନିମନ୍ତେ ଏବେ ହେମନ୍ତ ସୋରେନ ରାଜ୍ୟ ପାଇଁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଖୁବ୍‌ ଆଗ୍ରହୀ ଥିବା ଜଣାଯାଇଛି।

ଏଥିନିମନ୍ତେ ପାଣ୍ଠିର ଆବଶ୍ୟକତା ଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇଥିବା ରାଜନୈତିକ ବିଶ୍ଳେଷକ ମତ ରଖିଛନ୍ତି। ନିଜ ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ହେମନ୍ତ ସୋରେନ ସୋନିଆ ଗାନ୍ଧି ଓ ଆବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଥିବା ଜଣାଯାଇଛି। ଏହି ସମୟରେ ହେମନ୍ତ ସୋରେନଙ୍କ ସହ ପତ୍ନୀ କଳ୍ପନା ସୋରେନ ବି ଉପସ୍ଥିତ ଥିଲେ। ଆଜି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବି ସାକ୍ଷାତ କରିବେ ବୋଲି ଜଣାଯାଇଛି। ଦିଲ୍ଲୀ ଆସିବା ପୂର୍ବରୁ ହେମନ୍ତ ସୋରେନ ସପତ୍ନୀକ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି।

Leave A Reply

Your email address will not be published.