ସମଲେଇ ଯୋଜନାରେ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ଘୋଷଣା ହୋଇଥିବା ସମଲେଇ ଯୋଜନା ସଂପର୍କିତ ମାମଲାରେ ଗତ ଜୁନ୍ ୨୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ହାଇକୋର୍ଟ ଗତକାଲି ଉଠାଇ ଦେଇଛନ୍ତି। ଘୁନ୍‌ଘୁଟିପଡ଼ା ଅଞ୍ଚଳର ରାକେଶ ସୁନା ଓ ଅନ୍ୟମାନଙ୍କ ମାମଲାର ହାଇକୋର୍ଟ ଶୁଣାଣି କରି ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ନିର୍ଦ୍ଦେଶ ଦେବା ସହିତ ସରକାରଙ୍କ ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ରାକେଶ ସୁନା ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମଲେଇ ଯୋଜନାକୁ ସମର୍ଥନ କରି ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ପ୍ରସଂଗକୁ ନେଇ ଦୀପକ ବେଦୀ ଦାୟର କରିଥିବା ଜନସ୍ବାର୍ଥ ଆବେଦନର ରାକେଶ ସୁନା ମାମଲା ସହିତ ସେପ୍ଟେମ୍ବର ୧୯ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନାରେ ଘୁନ୍‌ଘୁଟିପଡ଼ାରେ ଥିବା ସରକାରୀ ଜମିକୁ ସାମିଲ କରାଯାଇଥିଲା। ସରକାର ଥଇଥାନ ଓ ପୁନର୍ବାସ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଘୁନ୍‌ଘୁଟିପଡ଼ା ବାସିନ୍ଦା ରାକେଶ ସୁନା ଓ ଅନ୍ୟମାନେ ଦାବି କରିଥିଲେ। ଏହି ପ୍ରସଂଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଏପ୍ରିଲ ୧୨ରେ ମଧ୍ୟ ଅଭିଯୋଗ କରାଯାଇଥିଲା। କିନ୍ତୁ କିଛି ସୁଫଳ ନ ମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜବାବରେ ସରକାରଙ୍କ ତରଫରୁ ଦର୍ଶାଯାଇଛି ଯେ ଏହି ଜମି ରେକର୍ଡ ସରକାରଙ୍କ ନାଁରେ ରହିଛି। ତେଣୁ ସମଲେଇ ଯୋଜନାରେ ଏହାକୁ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆବେଦନକାରୀଙ୍କ ଦାବି ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଘୁନ୍‌ଘୁଟିପଡ଼ା ବାସିନ୍ଦାଙ୍କୁ ପୁନର୍ବାସ, କ୍ଷତିପୂରଣ ଓ ଥଇଥାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଜୁନ୍ ୨୭ରେ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Leave A Reply

Your email address will not be published.