ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା:ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରି ସାରି ଥିବାରୁ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ। କ୍ରାଇମବ୍ରାଞ୍ଚ ଏହି ନାବାଳିକା ଗଣଦୁଷ୍ମର୍ମ ଘଟଣାର ତଦନ୍ତ ସାରି ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ସେପ୍ଟେମ୍ବର ୫ ତାରିଖରେ ପୋକସୋ କୋର୍ଟରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଛି। ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ପକସୋ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି। ଫାଇନାଲ ଚାର୍ଜସିଟ ଦାଖଲ ହୋଇଥିବା ସମ୍ପର୍କରେ ସିଲ କଭରରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ଅନୁଯାୟୀ ଏହି ଗଣଦୁଷ୍ମର୍ମ ଘଟଣାରେ ଅନ୍ୟ କେହି ଅଭିଯୁକ୍ତ ନାହାନ୍ତି। ତେଣୁ ହାଇକୋର୍ଟ ଜନସ୍ୱାର୍ଥ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି। ପିଡିତା କିମ୍ବା ତାର ପରିବାର ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। ଏହା ସହିତ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସମସ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟ ରେଜିଷ୍ଟ୍ରିରେ ରଖିବାକୁ ନିର୍ଦ୍ଦେଶ ଦେବା ସହ ହାଇକୋର୍ଟଙ୍କ ବିନା ଅନୁମତିରେ ସେ ରିପୋର୍ଟ କାହାରିକୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ୨୦୨୦ ମସିହା ଡିସେମ୍ବର ମାସରେ ଗିରଫ ହୋଇଥିବା ବେଳେ ସେମାନେ ଏବେ ବି ଜେଲରେ ଅଛନ୍ତି। ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଥିଲା ଯେ, ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ। ଏହି ଘଟଣାରେ ପୋଲିସ ବିଭାଗ କର୍ମଚାରୀଙ୍କ ସହିତ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି। ତଦନ୍ତକୁ ପ୍ରଭାବିତ କରିବାକୁ ଓ ବାଟବଣା କରିବାକୁ ଉଦ୍ୟମ ହେଉଛି। ଏଭଳି ସ୍ଥିତିରେ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ। ନଚେତ ସବିଆଇ ଭଳି ସ୍ବାଧୀନ ସଂସ୍ଥାକୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।

ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷବ୍ୟକ୍ତ କରିବା ସହିତ ପୀଡିତା ଓ ତାଙ୍କ ମା’ଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କ୍ରାଇମବ୍ରାଞ୍ଚ ଏସପିଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜଣେ ଅତିରିକ୍ତ ଏସପି, ତିନି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର ସେଲର ଜଣେ ଇନ୍ସପେକ୍ଟର ତଦନ୍ତରେ ସହଯୋଗ କରୁଛନ୍ତି। ଘଟଣା ୨୦୨୦ ଏପ୍ରିଲ ମେ ମାସରେ ଲକଡାଉନ ସମୟରେ ହୋଇଥିବା ବେଳେ ଚାରି ମାସର ବ୍ୟବଧାନରେ ଅଗଷ୍ଟ ୩୦ରେ ଏ ନେଇ ଏତଲା ରୁଜୁ ହୋଇଥିଲା। ଏହି ମାମଲାରେ ପୋଲିସ ଡିଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟରେ ହାଜର ହୋଇ ତଦନ୍ତର ଅଗ୍ରଗତି ନେଇ ମଧ୍ୟ ଅବଗତ କରିଥିଲେ। ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ‌ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଏକାଧିକ ଷ୍ଟାଟସ ରିପୋର୍ଟ ପ୍ରଦାନ କରାଯିବା ସହ ଆଜି ମଧ୍ୟ ଏକ ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.