କଂଗ୍ରେସ ଭବନରେ ନିଆଁ ଲଗାଇବା ଘଟଣା: ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ଭବନରେ ନିଆଁ ଲଗାଇବା ଘଟଣାରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଇତିଶଙ୍କୁ ଆବଶ୍ୟକ ସର୍ତ୍ତପୂରଣ ପରେ ନିମ୍ନ ଅଦାଲତ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଜାମିନ ପାଇବା ପରେ ଇତିଶ ସବୁ ଧାର୍ଯ୍ୟ ତାରିଖରେ ନିମ୍ନ ଅଦାଲତରେ ହାଜର ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିଲେ। ଗତ ଜାନୁଆରି ୮ତାରିଖରେ କଂଗ୍ରେସ ଭବନ ପରିସରରେ କେତେକ ବ୍ୟକ୍ତି ଜୋର ଜବରଦସ୍ତ ପ୍ରବେଶ କରି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଧମକ ଚମକ ଦେବା ସହିତ ଭଙ୍ଗାରୁଜା କରିଥିଲେ। ଏଥି ସହିତ କଂଗ୍ରେସ ଭବନ ଆସବାବପତ୍ର ଓ ନଥିପତ୍ରରେ ନିଆଁ ଲଗାଇ ଦେଇଥିଲେ। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଇତିଶଙ୍କୁ ଜାନୁଆରି ୧୦ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଭୁବନେଶ୍ବର ଏସଡିଜେଏମ୍ ଓ ପରେ ଖୋର୍ଦ୍ଧା ଜିଲାଦୌରାଜଜଙ୍କ ଅଦାଲତରେ ଜାମିନ ଖାରଜ ହେବା ପରେ ଇତିଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି ବୋଲି ଇତିଶ ହାଇକୋର୍ଟରେ ଦର୍ଶାଇଥିଲେ।