RWSSର ପୂର୍ବତନ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିଲେ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍ଡବ୍ଲୁଏସ୍ଏସ୍) ଭୁବନେଶ୍ୱର ସର୍କଲର ପୂର୍ବତନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜ୍ୟର ପ୍ରଥମ କ୍ରିପ୍ଟୋ କରେନସି ଥାଇ ଧରା ପଡିଥିବା ଅଫିସର ନିହାର ରଞ୍ଜନ ଦାସଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ, ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ କ୍ରମେ ନିହାରଙ୍କୁ ଭିଜିଲାନ୍ସ ୨୦୨୨ ଅକ୍ଟୋବର ୨୮ରେ ଗିରଫ କରିଥିଲା। ଭିଜିଲାନ୍ସ ସୂଚନା ଅନୁସାରେ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଆକଳନ କରିଥିଲା ।
ଅନ୍ୟପଟେ ନିହାରଙ୍କ ଲିଙ୍କ୍ ନେଇ ସମ୍ବଲପୁରର ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ସମ୍ବଲପୁରର ଜଣେ ଠିକାଦାରଙ୍କର ସହ ତାଙ୍କର ଲିଙ୍କ୍ ମିଳିବା ପରେ ଭିଜିଲାନ୍ସ ଠିକାଦାରଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉକରି ବିଭିନ୍ନ କାଗଜପତ୍ର ଜବତ କରି କୋର୍ଟ ଚାଲାଣ କରିଥିଲା। ଇଞ୍ଜିନିୟର ନିହାର ରଂଜନ ଦାସ କ୍ରିପ୍ଟୋ କରେନ୍ସି ଲିଙ୍କ୍ରେ ଛନ୍ଦି ହୋଇ ଥିଲେ । ସେ କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଥିବା ଜଣା ପଡିଥିଲା। ସମୁଦାୟ ୮୮ ୱଲେଟ ଭିଜିଲାନ୍ସ ଜବତ କରିଥିଲା। ଏହି ମାମଲାରେ ତାଙ୍କ ପତ୍ନୀ ଧରିତ୍ରୀ ଦାସଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ।