ଢିଙ୍କିଆରେ ଫରେଷ୍ଟ କ୍ଲିଅରାନ୍ସ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ, ୪ସପ୍ତାହରେ ଜବାବ ରଖିବାକୁ ଦେଲେ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ପୂର୍ବରୁ ପୋସ୍କୋ ପ୍ରକଳ୍ପକୁ ପ୍ରଦାନ କରାଯାଇଥିବା ଫରେଷ୍ଟ କ୍ଲିୟରାନ୍ସକୁ ୨୦୧୯ରେ ଜେଏସଡବ୍ଲୁ ପ୍ରକଳ୍ପକୁ ଟ୍ରାନ୍ସଫର କରାଯିବା ବେଆଇନ ବୋଲି ଦର୍ଶାଇ ଆଗତ ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏ ସଂକ୍ରାନ୍ତରେ ନୋଟିସ୍ ଜାରି କରିଛନ୍ତି।
ଚାରି ସପ୍ତାହ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାମଲାରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାପରେ ଆବେଦନକାରୀ ଚାହିଁଲେ ପ୍ରତିଜବାବ ଦାଖଲ କରି ପାରିବେ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବାସୁଦେବ ଖଣ୍ଡୱାଲଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି।
ମେ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଢିଙ୍କିଆରେ ପୋସ୍କୋ ପ୍ରକଳ୍ପ ପାଇଁ ସରକାର ପ୍ରଦାନ କରିଥିବା ଜମିରେ କିଛି ଜଙ୍ଗଲ କିଶମ ଜମି ରହିଥିଲା। ଏଥି ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ କେନ୍ଦ୍ର ସରକାର ପୋସ୍କୋ ପ୍ରକଳ୍ପକୁ ଫରେଷ୍ଟ କଂଜରଭେସନ୍ ଆଇନ ଅନୁସାରେ ଫରେଷ୍ଟ କ୍ଲିୟରାନ୍ସ ୨୦୧୧, ମେ ୪ରେ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ପୋସ୍କୋ ପ୍ରକଳ୍ପ ବନ୍ଦ ରହିଥିଲା। ପୋସ୍କୋ ପାଇଁ ପ୍ରଦାନ କରାଯାଇଥିବା ଜମିରେ ଜେଏସଡଡବ୍ଲୁ ପ୍ରକଳ୍ପ ଲାଗି ସରକାର ଅନୁମତି ଦେଇଥିଲେ।
ପୂର୍ବରୁ ପୋସ୍କୋକୁ ମିଳିଥିବା ଫରେଷ୍ଟ କ୍ଲିୟରାନ୍ସକୁ ଜେଏସଡବ୍ଲୁକୁ ଟ୍ରାନ୍ସଫର ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ଅନୁମତିରେ ପୂର୍ବରୁ ପେସ୍କୋକୁ ପ୍ରଦାନ କରାଯାଇଥିବା ଫରେଷ୍ଟ କ୍ଲିୟରାନ୍ସକୁ ଜେଏସଡବ୍ଲୁ ପ୍ରକଳ୍ପକୁ ଟ୍ରାନ୍ସଫର କରାଯାଇଥିଲା। ଏପରି ଫରେଷ୍ଟ କ୍ଲିୟରାନ୍ସ ଟ୍ରାନ୍ସଫର ପ୍ରସଂଗ ବେଆଇନ ଓ ଏହା ଫରେଷ୍ଟ କଂଜରଭେସନ୍ ଆକ୍ଟର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ଜଗତସିଂହପୁର ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।