କଟକରେ ପୂଜା ମଣ୍ଡପ ତୋରଣ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାତ୍ୟାର ରୂପ ନେଇସାରିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଆସନ୍ତାକାଲି (୨୪ ତାରିଖ) ରାତି ଓ ୨୫ ତାରିଖ ଭୋର ମଧ୍ୟରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ତେବେ ସିଲିଭର ସିଟି କଟକରେ ବାତ୍ୟା ସମୟରେ ବିପଦ ସୃଷ୍ଟି କରିଛି ଦୁର୍ଗା ପୂଜାରେ ପ୍ରସ୍ତୁତ ହୋଇଥିବା ସୁଉଚ୍ଚ ତୋରଣ ।  ସହରରୁ ହୋଡିଂ ଓ ବାଉଁଶ ଗେଟ ୨୪ ଘଣ୍ଟା ଭିତରେ ହଟାଇବାକୁ କଟକ ଡିସିପି, ଜିଲ୍ଲାପାଳ ଓ CMC କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ପୂଜା ମଣ୍ଡପରୁ ଗେଟ ହଟିବ ନାହିଁ, ସେମାନଙ୍କୁ ଆସନ୍ତା ବର୍ଷକୁ ଗେଟ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇଛନ୍ତି। ଏହାସହ ରିଂ ବନ୍ଧ ଓ ଅନ୍ୟାନ୍ୟ ସ୍ଥାନରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛ କାଟିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ବିଶେଷକରି ଦଶହରା ସମୟରେ କଟକ ସହରର ବିଭିନ୍ନ ମଣ୍ଡପରେ କରାଯାଇଥିବା ସୁଉଚ୍ଚ ଅସ୍ଥାୟୀ ତୋରଣ, ବାଉଁଶ ଗେଟ୍ ଓ ଲାଇଟ ଗେଟ୍‌ ତୁରନ୍ତ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆଜି (୨୩ ତାରିଖ) ଅପରାହ୍ନ ୨ଟା ସୁଦ୍ଧା ଏସବୁ ହଟାଯିବାକୁ ନିର୍ଦ୍ଦେଶ ରହିଛି । ଯଦି ମଣ୍ଡପ ପକ୍ଷରୁ ଏଗୁଡିକୁ ହଟା ନଯାଏ ତେବେ ପୌର ପ୍ରଶାସନ (ସିଏମସି)ର ଏନଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଗେଟଗୁଡିକ ବାତ୍ୟା ପୂର୍ବରୁ ଉଚ୍ଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। କଳାବଜାରୀ ରୋକିବା ପାଇଁ ପୁଲିସକୁ ସାଦା ପୋଷାକରେ ନିୟୋଜିତ କରିବାକୁ କୋର୍ଟ କହିଛନ୍ତି।

Comments are closed.