ହତ୍ୟା ମାମଲାରେ ହକି ତାରକା ବିରେନ୍ଦ୍ର ଲାକ୍ରଙ୍କ ନାଁରେ କାହିଁକି ଏଫଆଇଆର ହେଲା ନାହିଁ? ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ନେଇ ହାଇକୋର୍ଟରେ ରୁଜୁ ମାମଲାରେ କାହିଁକି ଏଫଆଇଆର ରୁଜ୍ଜ ହୋଇନାହିଁ ସେ ସମ୍ପର୍କରେ ଭୁବନେଶ୍ୱର ଡିସିପି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହିତ ତୁରନ୍ତ ମାମଲା ରୁଜ୍ଜୁ କରିବାକୁ ଇନଫୋସିଟି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଭର୍ଚୁଆଲ ମାଧ୍ୟମରେ ହାଇକୋର୍ଟରେ ଉପସ୍ଥିତ ରହିଥିଲେ ଇନଫୋସିଟି ଥାନା ଅଧିକାରୀ। ତେବେ ତାଙ୍କ ପାଖରେ ଏଫଆଇଆର ପହଁଚି ନଥିବା ଆଇଆଇଆସି ହାଇକୋର୍ଟଙ୍କୁ ଜଣାଇଥିଲେ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ତାରିଖରେ ଥିବା ବେଳେ ତା ପୂର୍ବରୁ ଡିସିପି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି ମୃତକ ଆନନ୍ଦ ଟପ୍ପୋଙ୍କ ବାପା। ମୃତକଙ୍କ ବାପା ବନ୍ଧନ ଟପ୍ପୋ ଆବେଦନରେ ଦର୍ଶାଇଛନ୍ତି ଯେ, ଫେବୃଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା୍ରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ି ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ପ୍ରକାଶଥାଉକି, ହକିତାରକ ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ।
ଏମିତିକି ବୀରେନ୍ଦ୍ରଙ୍କୁ ମୃତକଙ୍କ ପରିବାରବର୍ଗ ପୁଅ ଭଳି ଦେଖୁଥିଲେ। ବୀରେନ୍ଦ୍ରଙ୍କ ବିବାହ ସମୟରେ ମଧ୍ୟ ମୃତକଙ୍କ ବାପା ମା ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଗତ ନଭେମ୍ବର ମାସରେ ବୀରେନ୍ଦ୍ର ମୃତକଙ୍କ ଘରେ ପହଞ୍ଚି ତା ବାପାଙ୍କୁ କହିଥିଲେ,”ଆନନ୍ଦ ଏମିତି କଣ ହେଉଛି। ତାକୁ ମନା କର। ଏ ବିଷୟରେ କିନ୍ତୁ ବୀରେନ୍ଦ୍ର ଆଉ କିଛି ଅଭିଯୋଗ କରିନଥିଲେ। ଏମିତିକି ମୃତ୍ୟୁ ଦିନ ବୀରେନ୍ଦ୍ର ଘଟଣାସ୍ଥଳକୁ ନେଇକି ଗଲେନି। ଯେତେ ଅନୁରୋଧ କଲେ ବି ସେ ବାହାନା କରିବା ସହ ଇନଫୋସିଟି ଥାନାକୁ ଡାକିଥିଲେ। ମୃତକ ଆନନ୍ଦ ଓ ବୀରେନ୍ଦ୍ରଙ୍କ ସହ ରହୁଥିବା କୁତ୍ରା ବ୍ଲକ ଅନ୍ତର୍ଗତ ସମଲେଇମୁଣ୍ଡାର ମୂଳ ନିବାସୀ ମନଜିତ ଏକାସାଙ୍ଗରେ ପାଠ ପଢିଥିଲେ ଓ ଭଲ ବନ୍ଧୁ ଥିଲେ। ମୃତ୍ୟୁ ଦିନ ଉକ୍ତ ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ। ଏଭଳି ସଙ୍ଗୀନ ଅପରାଧ ଘଟଣାର ସଠିକ ତଦନ୍ତ ପାଇଁ ଭୁବନେଶ୍ୱର ପୋଲିସ ସହାୟତା କରୁନଥିବା ଅଭିଯୋଗ ହୋଇଛି। ଏଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କିମ୍ବା ଅନ୍ୟ କୌଣସି ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।