ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର କେବେଠାରୁ ଖୋଲାଯାଇନି ଓ କେତେ ରତ୍ନ ଅଳଙ୍କାର ଅଛି ୪ ସପ୍ତାହ ମଧ୍ୟରେ ଜବାବ ଦିଅ, ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ମାମଲାରେ ଜବାବ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। କେବେ ଠାରୁ ଖୋଲା ଯାଇ ନାହିଁ ଓ କେତେ ରତ୍ନ ଅଛି ତାର ଯାଞ୍ଚ କାହିଁକି ହେଉନି ସେ ନେଇ ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ ଆବେଦନ କରିଥିବା ବେଳେ ଘଟଣାର ଜୁଡିସିଆଲ ତଦନ୍ତ ହୋଇ ସାରି ଥିବାରୁ ସିବିଆଇ ତଦନ୍ତକୁ ଅଗ୍ରାହ୍ୟ କରିଛନ୍ତି ଓଡିଶା ହାଇକୋର୍ଟ।
ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ, ଖୋଲା ନଯିବାର କାରଣ କଣ, ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାଲାଗି ଆଜି ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଆଜି ଅମିକସ କ୍ୟୁରି ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଜଗମୋହନ ମରାମତି କାମ ଚାଲୁଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ଏ ଏସ ଆଇ ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ା ଯିବା କାମ ଆରମ୍ଭ ହୋଇଛି। ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟରେ ଦାଖଲ ହେବ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆସନ୍ତା ଜାନୁୟାରୀ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।