କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲା: ଶୈଳବାଳା ପୁରାତନ ଛାତ୍ରୀ ସଂସଦର ପିଟିସନକୁ ଖାରଜ କଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲାରେ ଶୈଳବାଳା ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ପିଟିସନକୁ ଖାରଜ କରି ଦେଇଛନ୍ତି ଓଡିଶା ହାଇକୋର୍ଟ। ଏହା ଫଳରେ ଚଣ୍ଡୀମନ୍ଦିର ସଂପ୍ରସାରଣ ନେଇ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ଚଣ୍ଡୀ ମନ୍ଦିର ପ୍ରୋଜେକ୍ଟରେ କଟକର ଐତିହାସିକ ଚଣ୍ଡିମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩୦୦୦ ବର୍ଗ ଫୁଟ ଜମି କୁ ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟ ର ଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ରହିଛି।ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ବୋଲି ଦର୍ଶାଇ ଏହି ମାମଲା ରୁଜୁ କରାଯାଇଥିଲା। ଏହି ଜମି ମଧୁସୂଦନ ଦାସଙ୍କ କନ୍ୟା ରାଜ୍ୟରେ ନାରୀ ଶିକ୍ଷା ପାଇଁ ମହିଳା କଲେଜକୁ ପ୍ରଦାନ କରିଥିଲେ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ। ଶିକ୍ଷାନୁଷ୍ଠାନ ଭଳି ଏକ ଅନୁଷ୍ଠାନର ଜମିକୁ ଏକ ନିର୍ଦିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନ ର ବିରୋଧାଚରଣ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଅନ୍ୟପଟେ ଏହି ଜମି ମଧୁସୂଦନ ଦାସଙ୍କ ଜମି ନୁହେଁ ତାହା ସରକାରୀ ଜମି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ତଥ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ଚଣ୍ଡୀ ମନ୍ଦିରର ଉନ୍ନତି କରଣ ପାଇଁ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠରେ କୁହାଯାଇଛି। ମନ୍ଦିରର ଉନ୍ନତିକରଣ କାର୍ଯ୍ୟରେ ରହିତାଦେଶ ଜାରି କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ମଧ୍ୟ କୌଣସି ପ୍ରକାର ରହିତାଦେଶ ଦେବାକୁ ମନା କରି ଦେବା ସହ ଏହି ପିଟିସନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।

Leave A Reply

Your email address will not be published.