ଡଙ୍ଗା ବୁଡ଼ି ଦୁର୍ଘଟଣାର ଶିକାର ହେଉଥିବା ପୀଡିତଙ୍କ କ୍ଷତିପୂରଣ ରାଶି ଯଥେଷ୍ଟ ନୁହେଁ: ହାଇକୋର୍ଟ କହିଲେ ରାଜ୍ୟ ସରକାର ବିଚାର କରନ୍ତୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ଡଙ୍ଗା ବା ବୋଟ ଦୁର୍ଘଟଣାର ଶିକାର ହେଉଥିବା ପୀଡିତଙ୍କ ପାଇଁ ନିୟମରେ ରହିଥିବା କ୍ଷତିପୂରଣ ରାଶି ପରିମାଣ ଯଥେଷ୍ଟ ନୁହେଁ ଏବଂ ମୋଟର ଯାନ ଆଇନ ୧୯୮୮ରେ ଦୁର୍ଘଟଣା ପାଇଁ ରହିଥିବା କ୍ଷତିପୂରଣ ବ୍ୟବସ୍ଥାକୁ ବୋଟ ଦୁର୍ଘଟଣାରେ କ୍ଷତିପୂରଣ କ୍ଷେତ୍ରରେ ମାପଦଣ୍ଡ ଭାବେ ଗ୍ରହଣ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର.କେ.ମାଇତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୧୯ ଅଗଷ୍ଟ ୫ରେ ଓଡ଼ିଶା ବୋଟ ନିୟମାବଳୀରେ ସଂଶୋଧନ କରି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ଏ ସଂପର୍କିତ ବିଜ୍ଞପ୍ତିରେ ବୋଟରେ ଥିବା ବ୍ୟକ୍ତି ଦୁର୍ଘଟଣାଜନିତ ବୀମା କ୍ଷତିପୂରଣ ପାଇବାକୁ ହକଦାର ବୋଲି ଉଲ୍ଲେଖ ରହିଛି।

ବୋଟ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଓ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ବୀମା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସଂଶୋଧିତ ନିୟମରେ ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। କିନ୍ତୁ କ୍ଷତିପୂରଣ ରାଶି ପରିମାଣ ଯଥେଷ୍ଟ ନୁହେଁ ବୋଲି ହାଇକେର୍ଟ ମତ ଦେଇଛନ୍ତି। କ୍ଷତିପୂରଣ ରାଶି ବୃଦ୍ଧି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଓଡ଼ିଶା ବୋଟ (ସଂଶୋଧିତ) ନିୟମାବଳୀର କପି ଆମିକସ୍ କ୍ୟୁରୀଙ୍କୁ ପ୍ରଦାନ କରାଯିବ ଓ ଏହା ଉପରେ ସେ ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବୋଟ ପରିଚାଳନା ପ୍ରସଙ୍ଗରେ ରହିଥିବା ନିୟମାବଳୀ ସଂପର୍କିତ ତଥ୍ୟର କପି ଆମିକସ୍ କ୍ୟୁରୀଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲଙ୍କୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.