ଝାରସୁଗୁଡା, ବାଲେଶ୍ବର ଓ ବ୍ରହ୍ମପୁର ମେଡିକାଲରେ କେବେ କାର୍ଯ୍ୟକ୍ଷମ ହେବ ପେଟ ସିଟି ସ୍କାନ୍? ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ମାମଲାର ଶୁଣାଣି କରି ତିନି ମେଡିକାଲରେ ପେଟ୍ ସିଟି ସ୍କାନ୍ କେବେ କାର୍ଯ୍ୟକ୍ଷମ ହେବ ସେ ସମ୍ପର୍କରେ ଜଣାଇବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଝାରସୁଗୁଡା, ବାଲେଶ୍ବର ଓ ବ୍ରହ୍ମପୁର ମେଡିକାଲରେ କେବେ ପେଟ୍ ସିଟି ସ୍କାନ୍ କାର୍ଯ୍ୟକ୍ଷମ ହେବ ସେ ନେଇ ସତ୍ୟପାଠ ମାଧ୍ୟମରେ ଜବାବ ରଖିବା ପାଇଁ ଅଦାଲତ କହିଛନ୍ତି। ତେବେ ପରବର୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପ୍ରସଙ୍ଗରେ ଶୁଣାଣି କରି ଏପରି ନିର୍ଦେଶ ଦେଇଥିବାବେଳେ ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୧ତାରିଖକୁ ଧାର୍ଯ୍ୟ କରିଛନ୍ତି। ତେବେ ମେସିନ ଆସି ସାରିଲାଣି ବୋଲି ଆଜି ଶୁଣାଣି ସମୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ ଦର୍ଶଯାଇଥିଲା। ଆବେଦନକାରୀ ଅନିତା ବୁଦ୍ଧିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ, ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ଯ ଯେ କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତି ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅନିତା ବୁଦ୍ଧିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କର୍କଟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ପ୍ରସଙ୍ଗ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ୨୦୨୧, ଜାନୁଆରି ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ଜବାବ ତଲବ କରିଥିଲେ।

କିନ୍ତୁ ଶୁଣାଣିର କିଛି ଘଣ୍ଟା ପରେ ଜାନୁଆରି ୧୯ ତାରିଖ ସଂଧ୍ୟା ୮ଟା ସମୟରେ ସବୁ ଦିନ ପାଇଁ ଆଖି ବୁଜିଥିଲେ କର୍କଟ ପୀଡ଼ିତା ଅନିତା ବୁଦ୍ଧିଆ। କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ୍‌ ନଥିବା ଓ ଏଥି ଯୋଗୁଁ ବହୁ ଗରିବ ରୋଗୀ ହଇରାଣ ହେଉଥିବା ନେଇ ଜନସ୍ବାର୍ଥ ଆବେଦନରେ ସେ ଦର୍ଶାଇଥିଲେ।

Leave A Reply

Your email address will not be published.