ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ଆବେଦନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ବୁକିଙ୍ଗ ବ୍ୟବସ୍ଥା। ପରିବହନ ବିଭାଗ ପକ୍ଷରୁ ଏହି ଅନଲାଇନ ସେବା ଆରମ୍ଭ ହେବ। ଲୋକେ siam.in ୱେବ ସାଇଟରେ ଲଗ ଇନ କରି ଏହି ନମ୍ବର ପ୍ଲେଟ ବୁକିଙ୍ଗ କରିପାରିବେ। ନିଜର ପୁରୁଣା ଗାଡ଼ି ର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବା HSRP ପାଇପାରିବେ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିନା ଗାଡି ଚଢିଲେ ଦେବେ ମୋଟା ଅଙ୍କର ଫାଇନ୍। ପୁରୁଣା ଗାଡ଼ିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ।
ଆଇନ୍ ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ ଗାଡ଼ି ଚାଳକ।୨୦୧୯ ମସିହା ଏପ୍ରିଲ ମାସ ପୂର୍ବରୁ ପଞ୍ଜିକରଣ ହୋଇଥିବା ସମସ୍ତ ଗାଡ଼ି ଗୁଡିକରେ ଲାଗିବ ଏହି ନମ୍ବର ପ୍ଲେଟ୍।
ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟ୍ଠାରୁ ଭିନ୍ନ । ଏଥିରେ ଏକ ଲେଜର୍ କୋଡ୍ ରହିଛି , ଯାହାକୁ ଲେଜର ଗନ୍ ଦ୍ବାରା ପଢ଼ି ହେବ। ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବାଇକ ଚାଳକମାନେ ୩୨୦ ଟଙ୍କାରୁ ୩୮୦ ଟଙ୍କା, ଅଟୋ ପାଇଁ ୩୫୦ରୁ ୪୫୦, ଚାରିଚାକିଆ ଜାନ ପାଇଁ ୫୯୦ ରୁ ୭୦୦ ଟଙ୍କା ଏବଂ ଭାରି ଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଦେବାକୁ ପଡିବ। ଏଥିସହ ନିର୍ଦ୍ଧାରିତ ମୂଲ୍ୟର ୧୮ ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ ।ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ରହିବ । ତେଣୁ ଗାଡ଼ି ଚୋରି ହେଲେ ଠାବ କରିବାକୁ ସହଜ ହେବ।
ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କୁ ଏହି ନମ୍ବର ପ୍ଲେଟ୍ରେ ଲାଗିଥିବା କୋଡ୍ ମାଧ୍ୟମରେ ଚିହ୍ନଟ କରାଯାଇ ଘରକୁ ଚାଲାଣ ପଠାଯାଇହେବ।
ଏହି ନମ୍ବର ପ୍ଲେଟ୍ଧାରୀ କୌଣସି ଗାଡ଼ି ମାଲିକ ଟ୍ୟାକ୍ସ ଫାଙ୍କିପାରିବେ ନାହିଁ। ଏହି ପ୍ଲେଟ୍ର ନକଲ କରିହେବ ନାହିଁ।ଡିସେମ୍ବର ୩୧ ୨୦୨୨ ସୁଦ୍ଧା ଗାଡି ଚାଳକ ନମ୍ବର ପ୍ଲେଟ୍ ଲଗାଇବାକୁ ସରକାର ସମୟ ନିର୍ଦ୍ଧାରଣ କରିଛନ୍ତି। ଏନେଇ ପରିବହନବିଭାଗର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି।