ଓଡ଼ିଆ ନ୍ୟୁଜ୍: ଅଦାଲତ ଅବମାନନା ମାମଲାରେ ସଚିବ ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ। ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ। ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ। ଏହା ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ଆଉ ହାଜର ହେବେନି।
ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ତାରିଖ ପରେ ତାରିଖ ମାଗିଚାଲିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ଏହା ଅଦାଲତଙ୍କ ଆଦେଶର ଅବମାନନା ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୋଲିସ୍ କମିସନର ସଚିବ, ଉଷା ପାଢ଼ୀ ଓ ଅନ୍ୟମାନଙ୍କୁ ଗିରଫ କରି ଆସନ୍ତା ୩୦ ତାରିଖ ସକାଳ ସାଢ଼େ ୧୦ଟାରେ ଅଦାଲତରେ ହାଜର କରାଇବେ । ଅବଶ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇଥାଏ ତାହେଲେ ଉଷା ପାଢ଼ୀ ଓ ଅନ୍ୟ ଅଧିକାରୀମାନଙ୍କୁ ହାଜର କରାଇବା ଆବଶ୍ୟକ ନାହିଁ । ପିଲୋନା ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।