ଓଡ଼ିଆ ନ୍ୟୁଜ୍:ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା। ଏବେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର। ଗତକାଲି ୮ଟି ସ୍ଲୁଇସ୍ ଗେଟ୍ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବାବେଳେ ରବିବାର ପୂର୍ବାହ୍ନରେ ପୁଣି ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ମୋଟ୍ ୧୨ଟି ସ୍ଲୁଇସ୍ ଗେଟ୍ ଜରିଆରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ଯଦ୍ବାରା ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳପତ୍ତନ ସଠିକ ଭାବେ ନିୟନ୍ତ୍ରିତ ହୋଇ ବର୍ତ୍ତମାନ ଶେଷ ସୂଚନା ଅନୁସାରେ ଜଳସ୍ତର ୬୨୧.୭୩ ଫୁଟ ରହିଛି।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୨ ଲକ୍ଷ ୧୧ ହାଜର ୭୮୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୨ ଲକ୍ଷ ୨୪ ହଜାର ୬୬୫ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଉଛି। ସେଥି ମଧ୍ୟରୁ ୧୨ଟି ସ୍ଲୁଇସ ଗେଟ୍ ଜରିଆରେ ମହାନଦୀକୁ ୧ ଲକ୍ଷ ୮୯ ହଜାର ୬୧୨ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୨୨.୦୬ ମିଲିମିଟର ଓ ତଳମୁଣ୍ଡରେ ୪.୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।