ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏ ନେଇ ରାଷ୍ଟ୍ରପତି ଭବନରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଚିଠି ଆସିବା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ନେଇ ଏକପ୍ରକାର ସ୍ପଷ୍ଟ ସୂଚନା ମିଳିଛି ।
୧୯୭୩ ମସିହାରେ ଓଡ଼ିଶାରେ ସ୍ଥାପିତ ହୋଇଥିବା ବ୍ରହ୍ମକୁମାରୀ ଓଡ଼ିଶା ସେବାକୁ ଇତି ମଧ୍ୟରେ ୫୦ ବର୍ଷ ପୁରିସାରିଛି । ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ମାର୍ଚ୍ଚ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବେ । ଏଥିପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଲିଖିତ ସ୍ବୀକାର ପତ୍ର ମଧ୍ୟ ମିଳିସାରିଛି । ରାଷ୍ଟ୍ରପତିଙ୍କ ଆଗମନ ପାଇଁ କଟକ ଇଣ୍ଡୋର୍ ଷ୍ଟାଡିୟମରେ ମାର୍ଚ୍ଚ ୧ ତାରିଖରେ କାର୍ଯ୍ୟକ୍ରମ ରଖାଯାଇଛି ।
ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ କଟକ ଆଶ୍ରମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପାଖାପାଖି ୫ ହଜାର ଜନ ସମାଗମର ଲକ୍ଷ୍ୟ ରଖାଯାଇଛି ।ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଆଶ୍ରମରୁ ଦୀକ୍ଷିତମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମାର୍ଚ୍ଚ ୧ ତାରିଖ ଅପରାହ୍ନ ୪.୩୦ ରୁ ୫.୩୦ ଇଣ୍ଡୋର ଷ୍ଟାଡିୟମ୍ ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ସେହିଭଳି ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପାଖାପାଖି ତିନି କିଲୋମିଟରର ହ୍ୟୁମାନ ଚେନ୍ କରାଯିବ ବୋଲି ବ୍ରହ୍ମକୁମାରୀ କଟକ ସବ୍ ଜୋନ ସଂଯୋଜକ ସୂଚନା ଦେଇଛନ୍ତି ।