ଆଜିଠୁ ଆରମ୍ଭ ପବିତ୍ର କାର୍ତ୍ତିକ ବ୍ରତ; ଚଳଚଞ୍ଚଳ ପୁରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ | ଚଳଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ । ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ।

ତେବେ ଶ୍ରୀମନ୍ଦିର ପ୍ରଶାସନର ଏ କଟକଣା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଇଛି । ତେବେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତ ୨୦୨୪ର ଶୁଭାରମ୍ଭ କରିବେ।  ଏଥିସହ ପୁରୀ ବିଧାୟକ ଓ ସାଂସଦଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତରେ ହବିଷ୍ୟାଳୀମାନେ ଚଉରାମୂଳେ ରାଧାଦାମୋଦର ପୂଜା କରିବା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ଥିବାରୁ ହବିଷ୍ୟାଳି ମାନଙ୍କ ଭିଡ ଜମିଛି ପୁରୀରେ। ସେପଟେ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିବେ।

Leave A Reply

Your email address will not be published.