କେନ୍ଦ୍ରାପଡାର ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଷ୍ଟ୍ରେଲିଆ ଓ ଭାରତର ସଂପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡ଼ା ଜିଲ୍ଳାର ଗରଦପୁର ବ୍ଲକ ଅଧୀନ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ଯ ସଂସଦରେ ସମ୍ମାନିତ କରାଯାଇଛି | ସେ ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର | ପ୍ରଫେସର ଶ୍ରୀ ଦାଶ ଭାରତ ଓ ଅଷ୍ଟ୍ରେଲିଆ ଦ୍ଵିପାକ୍ଷିକ ସଂପର୍କ ସୃଦୃଢ଼ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି | ଦୀର୍ଘ ୪ ବର୍ଷ ଧରି ଅଷ୍ଟ୍ରେଲିଆ ଅସଇଣ୍ଡ ବ୍ରିଜ ଅନୁଷ୍ଠାନକୁ ପ୍ରତିଷ୍ଠା କରି ଦୃଢ଼ ନେତୃତ୍ଵ ବଳରେ ଭାରତ ତଥା ଅଷ୍ଟ୍ରେଲିଆର ଯୁବ ସମାଜକୁ ସଂଯୋଗ କରାଇବାରେ ସେ ସମର୍ଥ ହୋଇଛନ୍ତି |

ପ୍ରଫେସର ଶ୍ରୀ ଦାଶଙ୍କୁ ସମ୍ମାନିତ କରିବା ପାଇଁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଛି | ସଂସଦ ପରିସରରେ ସାଂସଦ ଇୱାନ ୱାଲର୍ଟରସ ପ୍ରଫେସର ଦାଶଙ୍କୁ ସମ୍ମାନିତ କରି ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଶ୍ରୀ ଦାଶଙ୍କ ଅବଦାନ ଉଭୟ ଦେଶର ଯୁବ ସମାଜ ପାଇଁ ଅନୁକରଣୀୟ ହେବ ବୋଲି ମତବ୍ୟକ୍ତ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ଅଷ୍ଟ୍ରେଲିଆର ବିଦେଶ ନୀତିକୁ ସୁଦୃଢ଼ କରିବା ପାଇଁ ଏସିଆ ମହାଦେଶ ଓ ଭାରତୀୟ ଉପ ମହାଦେଶ ସହିତ କିଭଳି ସମ୍ପର୍କକୁ ସୁଦୃଢ଼ କରାଯିବ ସେନେଇ ଆଲୋକପାତ କରିଥିଲେ | ସୂଚନାଯୋଗ୍ୟ, ପ୍ରଫେସର ଦାଶ ଅଷ୍ଟ୍ରେଲିଆର ମୋନାସ ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିଛନ୍ତି | ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି |

ପ୍ରଫେସର ଦାଶଙ୍କୁ ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ ଖବର ପ୍ରଚାର ହେବା ପରେ ନିଜ ଅଞ୍ଚଳବାସୀ ଗର୍ବ ଅନୁଭବ କରିବା ସହ ଭୂୟସୀ ପ୍ରଶଂସା କରିଛନ୍ତି | ଏହାଛଡ଼ା ଭାରତୀୟ ସମୁଦାୟର ନେତୃତ୍ଵ ନେଇ ସୁନାମ ଅର୍ଜନ କରିଥିବା ଅଷ୍ଟ୍ରେଲିଆର ନାଗରିକ ଦୀପକ ବିନାୟକ ପ୍ରଫେସର ଦାଶଙ୍କ ସହ ଦୀର୍ଘ ୧୫ ବର୍ଷ ହେଲା କାମ କରି ଆସୁଛନ୍ତି | ଏହି ସଂସଦୀୟ ସମ୍ବର୍ଦ୍ଧିତ ଖବର ପାଇ ସେ ଗର୍ବ ଅନୁଭବ କରିଛନ୍ତି ବୋଲି ଶ୍ରୀ ଦାଶଙ୍କୁ ମେଲବର୍ଣ୍ଣରୁ ଫୋନ କରି କହିଛନ୍ତି |

Leave A Reply

Your email address will not be published.