ଓଡିଆ ନ୍ୟୁଜ (ବ୍ୟୁରୋ) : ଟିକେ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାତି ପ୍ରକୋପ ବଢିଛି । ଏଥିପାଇଁ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଟପିଥିବାବେଳେ ସର୍ବାଧିକ ୩୯ ଡିଗ୍ରୀ ସେଲସିୟସ୍ ଛୁଇଁଛି ତାତି । ଗରମ ଆହୁରି ବଢିବ । ୪ ଦିନ ଭିତରେ ୩ରୁ ୫ ଡିଗ୍ରୀ ବଢିପାରେ ପାରଦ । ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୮ ତାରିଖବେଳକୁ ଏହା ଲଘୁଚାପ ଓ ୯ରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ବଳ ଜୁଟାଇ ବାତ୍ୟା ରୂପ ନେବା ସହ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁହାଁଇବା ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏଭଳି ପୂର୍ବାନୁମାନ କରିଛି ।
ମାତ୍ର ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆଇଏମଡି ବର୍ତ୍ତମାନ କୌଣସି ପୂର୍ବାନୁମାନ କରିନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ଏପଟେ ରାଜ୍ୟରେ ପୁଣି ଗରମ ବଢିବାରେ ଲାଗିଛି । ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢିପାରେ । ଶନିବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଟପିଥିଲା । ସୁନ୍ଦରଗଡରେ ସର୍ବାଧିକ ୩୯ ଡିଗ୍ରୀ, ଅନୁଗୁଳ ୩୮.୧, ଝାରସୁଗୁଡା ୩୮.୬, ସମ୍ବଲପୁର ୩୮.୭, ତାଳଚେର ୩୮, ବଲାଙ୍ଗିର ୩୭.୮, ହୀରାକୁଦ ୩୭.୬, ଟିଟିଲାଗଡ ୩୭, ସୋନପୁର ୩୭.୫, ପାରଳାଖେମୁଣ୍ଡି ୩୭.୫, ଢେଙ୍କାନାଳ ୩୭.୧, ବରଗଡ ୩୭.୬ ଓ କଟକ ୩୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ରବିବାର ଅଳ୍ପ କେତେକ ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।