ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ତୃଣମୁଳ ସ୍ତରରୁ ପ୍ରସ୍ତୁତି କରୁଛନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ସଂସଦର ଉଭୟ ସଦନରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିନ ୧୨ଟା ପର୍ୟ୍ୟନ୍ତ ରାଜ୍ୟସଭା, ୨ଟା ପର୍ୟ୍ୟନ୍ତ ଲୋକସଭା ମୁଲତବି ରଖାଯାଇଛି ।
ଅନ୍ୟପଟେ, ଏଥର ମୌସୁମୀ ଅଧିବେଶନରେ କମ୍ପିବ ସଂସଦ। କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ କାଉଣ୍ଟର କରିବା ପାଇଁ ବିରୋଧୀ ସଜବାଜ ହୋଇ ସାରିଥିବା ବେଳେ ଶାସକ ଦଳ ତାର ଉତ୍ତର ଦେବା ପାଇଁ ମଧ୍ୟ ପ୍ରସ୍ତୁତ। ସଂସଦରେ ମଣିପୁର ପ୍ରସଙ୍ଗ ପରି ବିଭିନ୍ନ ପ୍ରସଙ୍ଗ ଉଠାଇବ କଂଗ୍ରେସ। ଏନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, କଂଗ୍ରେସ ମଣିପୁର ହିଂସା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଏ ନେଇ ସଂସଦରେ ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ ସରକାର ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି।
ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍ଆର କଂଗ୍ରେସ, ବିଆରଏସ୍ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସରକାର ମୌସୁମୀ ଅଧିବେଶନରେ ୩୧ ବିଲ୍ ଆଗତ କରିବେ। ତଥ୍ୟ ସୁରକ୍ଷା ବିଲ୍, ୟୁସିସି, ଦିଲ୍ଲୀ ଅଧ୍ୟାଦେଶ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ସମେତ ମୋଟ୍ ୩୧ଟି ବିଲ୍ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ। ତେବେ ଦିଲ୍ଲୀ ଅଧ୍ୟାଦେଶ ଏବଂ ୟୁସିସି ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ସରଗରମ ରହିବ ବୋଲି ଅନୁମାନ କରାଯାଉଛି।