ଓଡ଼ିଆ ନ୍ୟୁଜ : ଇସ୍ରାଏଲ ଓ ହମାସ୍ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଏହି ଯୁଦ୍ଧରେ ଚାଲିଯାଇଛି ଅନେକ ନୀରିହ ଲୋକଙ୍କ ଜୀବନ । ବର୍ତମାନ ସୁଦ୍ଧା ଉଭୟ ପକ୍ଷରୁ ୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରି ସେଠାରେ ଘନଘନ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଗାଜାରେ ଥିବା ହମାସର ବଡ ବଡ ଅଟ୍ଟାଳିକାକୁ ଖୋଜି ଖୋଜି ଧ୍ୱଂସ କରୁଛି ଇସ୍ରାଏଲ ସେନା ।
ତେବେ ଇସ୍ରାଏଲ ଶୁକ୍ରବାର ଉତର ଗାଜାରେ ରହୁଥିବା ପ୍ରାୟ ୧୧ଲକ୍ଷ ଲୋକଙ୍କୁ ୨୪ଘଂଟା ମଧ୍ୟରେ ସେମାନଙ୍କ ଘର ଏବଂ ଅଂଚଳ ଛାଡି ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ ନିଦେ୍ର୍ଦଶ ଦେଇଛି । ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ଗାଜାରୁ ନାଗରିକମାନେ ସେମାନଙ୍କ ଘର ଛାଡ଼ିବା ଆରମ୍ଭ କଲେଣି। ଅନ୍ୟପକ୍ଷେ ଇସ୍ରାଏଲ ସେନାର ଏହି ନିର୍ଦ୍ଦେଶକୁ ଅମାନ୍ୟ କରିବା ପାଇଁ ହମାସ୍ ଗାଜାବାସୀଙ୍କୁ ଆହ୍ବାନ ଦେଇଛି। ସେମାନେ ଘର ନଛାଡ଼ି ନିଜ ନିଜ ଘରେ ରହିବାପାଇଁ ହମାସ୍ କହିଛି। ଜାତିସଂଘ ମଧ୍ୟ ଏତେ କମ ସମୟରେ ଉତର ଗାଜା ଖାଲି କରିବା କଷ୍ଟକର ବ୍ୟାପାର ବୋଲି କହିଛି ।
ସୂଚନାଯୋଗ୍ୟ, ଗାଜାରେ ପ୍ରାୟ ୨୩ଲକ୍ଷରୁ ଉର୍ଦ୍ଦ ଲୋକ ବସବାସ କରୁଥିବା ବେଳେ ଏପର୍ଯ୍ୟନ୍ତ ୪ଲକ୍ଷ ୨୪ହଜାର ଲୋକ ଗାଜା ଛାଡି ଚାଲିଯାଇଥିବାର ଜଣାପଡିଛି । ଅନ୍ୟପକ୍ଷେ ଇସ୍ରାଏଲ ଗାଜା ସୀମା ନିକଟରେ ବହୁସଂଖ୍ୟାରେ ଟ୍ୟାଙ୍କ୍ ମୁତୟନ ଆରମ୍ଭ କରିଛି। ଇସ୍ରାଏଲ –ହମାସ୍ ଯୁଦ୍ଧକୁ ଇତିମଧ୍ୟରେ ସପ୍ତାହେ ପୂରିଥିଲେ ବି କେଉଁଠି ବି ସ୍ଥିତିରେ ସୁଧାର ଦେଖିବାକୁ ମିଳିନାହିଁ। ପ୍ରତିଦିନ ଉଭୟ ପଟେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି।