୪୩ ମାସରେ ୫୭ ପୋଲିସକୁ ବାନ୍ଧିଲାଣି ଭିଜିଲାନ୍ସ

0

ମାତ୍ର ୯ ଦିନ ବ୍ୟବଧାନରେ ଚାରି ଚାରି ଜଣ ପୁଲିସ ଅଧିକାରୀ ଲାଞ୍ଚ ନେଇ ଭିହିଲାନ୍ସ ହାତରେ ଧରାପଡ଼ିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଇଏ ହାତଗଣତି ଉଦାହରଣ ମାତ୍ର। ହେଲେ ଏଥିରୁ ସଙ୍କେତ ମିଳୁଛି ଯେ ଥାନାରେ ଲାଞ୍ଚ କାରବାରର ଶହ ଶହ ଘଟଣା ସାମ୍ନାକୁ ଆସିପାରୁ ନାହିଁ। କେଉଁଠି ଅଭିଯୁକ୍ତକୁ ଅନୁକମ୍ପା ଦେଖାଇବା ପାଇଁ ଆଉ କେଉଁଠି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନିଆଯାଇଛି। ମଦ ମାଫିଆ, ନିଶା ମାଫିଆଙ୍କ ଠାରୁ ମାସିକିଆ ନେଇ ସେମାନଙ୍କୁ ସୁରକ୍ଷା ଯୋଗାଇବା ଅଭିଯୋଗ ମଧ୍ୟ ପୁଲିସ ବିରୋଧରେ ରହିଛି। କେବଳ ସେତିକି ନୁହେଁ, ଜମିଜମା ବିବାଦର ସମାଧାନ ଠାରୁ ଆରମ୍ଭ କରି ପଥର ଗାଡ଼ି, ବାଲି ଟ୍ରକ୍ ଠାରୁ ଟଙ୍କା ଆଦାୟ, ନିଶା ମାଫିଆଙ୍କୁ ସୁରକ୍ଷା ଦେବାକୁ ଚାନ୍ଦା ଆଦାୟ ଭଳି ସଙ୍ଗିନ୍ ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡ଼ୁଛି।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଧମକ ଦେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସ୍ଆଇ ମମତା ବସ୍ତିଆଙ୍କୁ ଜୁଲାଇ ୧୩ରେ ଗିରଫ କଲା ଭିଜିଲାନ୍ସ। ମାତ୍ର ୬ ଦିନ ବ୍ୟବଧାନରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ମଦ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ମାସିକିଆ ବଟି ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଆଉ ଦୁଇ ଦିନ ପରେ ବିନା ବାଧାରେ ପଥର ଖଣି ଲିଜଧାରୀଙ୍କ ବ୍ୟବସାୟ ଚଳାଇବା ଲାଗି ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାଧିକାରୀ ପୁଷ୍ପଲତା ରାଉତରାୟଙ୍କୁ ବାନ୍ଧିଛି ଭିଜିଲାନ୍ସ।

୨୦୨୦ ଜାନୁଆରିରୁ ୨୦୨୩ ଆଜି ସୁଦ୍ଧା ପ୍ରାୟ ସାଢ଼େ ୪୩ ମାସରେ ୫୬ ଜଣ ଦୁର୍ନୀତିଖୋର ଖାକି ବାବୁ ଧରାପଡ଼ିଲେଣି। ଏହି ସମୟ ଭିତରେ ୩୫ ଜଣ ଲାଞ୍ଚ ମାମଲାରେ ଧରା ପଡ଼ିଥିବା ଗିରଫ ହୋଇଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୨ ଜଣ ପୁଲିସ ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଲାଞ୍ଚ ମାମଲାରେ ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୭ ଜଣ ଏସ୍ଆଇ, ୧୫ ଜଣ ଏଏସ୍ଆଇ ଓ ଜଣେ କନଷ୍ଟେବଳ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ୫ ଜଣ ଇନ୍ସପେକ୍ଟର, ୪ ଜଣ ଏସ୍ଆଇ, ୬ ଜଣ ଏଏସ୍ଆଇ, ୫ ଜଣ କନଷ୍ଟେବଳ ଜାଲରେ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ ଲାଞ୍ଚ ଆଦାୟରେ ସହଯୋଗ କରୁଥିବା ଜଣେ ହୋମଗାର୍ଡ ମଧ୍ୟ ଧରାପଡ଼ିଛନ୍ତି। ଏହି ତଥ୍ୟରୁ ଯାହା ଜଣାପଡ଼ୁଛି ପୁଲିସ ବିଭାଗ ହିଁ ‘ମୋ ସରକାର’କୁ ଉପହାସ କରୁଛି। ଅସାଧୁ ଅଫିସରଙ୍କ ପାଇଁ ପୂରା ବିଭାଗକୁ ବଦନାମ୍ ହେବାକୁ ପଡ଼ୁଛି।

Leave A Reply

Your email address will not be published.