ବାଙ୍ଗିରିପୋଷିରେ ଓଲଟିଲା ଗୋରୁ ବୋଝେଇ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର ୪୫ ଗୋରୁ ମୃତ ୩୦ରୁ ଅଧିକ ଆହତ | ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଦୁଆରଶୁଣୀ ଘାଟିରେ ଆଜି ଭୋର୍ ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର (ଡବ୍ଲ୍ୟୁବି-୧୧-ଡି-୩୭୨୪) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୪୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି | ସୂଚନା ଅନୁଯାୟୀ ; ବରବଡ଼ ଅଞ୍ଚଳରୁ କଲିକତା ଯାଉଥିବା କଣ୍ଟେନର୍‌ଟି ଘାଟି ରାସ୍ତାର ଦ୍ବାରଶୁଣୀ ମନ୍ଦିର ପୂର୍ବରୁ ଏକ ବାଙ୍କରେ ଓଲଟି ପଡ଼ିଥିଲା। ଖବର ପାଇ ଦମକଳ ବାହିନୀ, ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ତେବେ ଏକ ଖାଲୁଆ ଅଞ୍ଚଳରେ ଗାଡ଼ିଟି ଓଲଟି ଥିବାରୁ ପ୍ରାୟ ୧୧ ଘଣ୍ଟା ଯାଏ ଉଦ୍ଧାର କାର୍ଯ୍ୟ ସରି ପାରିନଥିଲା । ଫଳରେ ଏଥିରେ ଚାଲାଣ ହେଉଥିବା ଅଧିକାଂଶ ଗୋରୁ ଅଣନିଶ୍ୱାସୀ ହୋଇ ମରି ଯାଇଥିଲେ। ୪୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ଟି ଗୋରୁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି ଓଲଟିବା ପରେ ଅକ୍ଷତ ଅବସ୍ଥାରେ ସେଥିରୁ ଡେଇଁ ପଡ଼ିଥିବା କିଛି ଗୋରୁଙ୍କୁ ସ୍ଥାନୀୟ ଲୋକେ ଘରକୁ ନେଇ ଯାଇଛନ୍ତି ତେଣୁ କଣ୍ଟେନରରେ ମୋଟ୍ କେତେ ଗୋରୁ ଚାଲାଣ ହେଉଥିଲେ ତାହା ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରୁ ଗାଡ଼ିର ଡ଼୍ରାଇଭରର ଓ ହେଲପର ଫେରାର ହୋଇଥିବା ଜଣାପଡିଛି। ଖବର ହେଲା ପର୍ଯ୍ୟନ୍ତ ବର୍ତମାନ ସୁଦ୍ଧା ଗୋ ମାଫିଆ ଓ ଗାଡ଼ି ମାଲିକ ର ସଠିକ୍ ପରିଚୟ ମିଳି ପାରି ନାହିଁ। ସନ୍ଧ୍ୟା ସାଢ଼େ ୬ଟା ବେଳେ କ୍ରେନ୍ ଯୋଗୁଁ କଣ୍ଟେନରକୁ ଉଠାଯାଇଛି ଓ ଏହାତଳେ ଆଉ କୌଣସି ଗୋରୁ ଚାପି ହୋଇ ରହି ନଥିବା ପୁଲିସ କହିଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ସହାୟତାରେ ଆହତ ଗୋରୁମାନଙ୍କ ଚିକିତ୍ସା ଜାରି ରହିଛି।

ସେହିପରି କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବାଙ୍ଗିରିପୋଷି, କୁଳିଅଣା, ଝାରପୋଖରିଆ ଓ ବିଶୋଇ ଥାନାର ଆଇଆଇସିଙ୍କ ସହ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ତେବେ ପୁଲିସର ଢିଲା ପେଟ୍ରୋଲିଂ ବ୍ୟବସ୍ଥା, ଗୋ ଚାଲାଣକାରୀ ଓ ପ୍ରଶାସନରର ସଲାସୁତରାରେ ଏହି ବେଆଇନ୍ କାର୍ଯ୍ୟ ଚାଲୁଥିବା ଅଭିଯୋଗ କରି ବଜରଙ୍ଗ ଦଳର କର୍ମକର୍ତା ହୋହାଲ୍ଲା କରିଛନ୍ତି। ପୁଲିସର ଅପାରଗତା ପାଇଁ ୨ ଦିନ ପୂର୍ବେ ବହଳଦା ବଜାର ରାସ୍ତାରେ ଗୋ ମାଂସ ବିଛାଡ଼ି ହୋଇ ପଡ଼ିଲା| ଆଜି ଦୁର୍ଘଟଣା ଘଟି ୪୫ ନିରୀହ ପ୍ରାଣୀଙ୍କ ଜୀବନ ଗଲା। ତେଣୁ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଜରଙ୍ଗ ଦଳ ଦାବି କରିଛନ୍ତି।

Leave A Reply

Your email address will not be published.