ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭୁବନେଶ୍ୱରସ୍ଥିତ ଜେଏମଏଫସି କୋର୍ଟରେ ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି ମାମଲାରେ ତାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ହୋଇଛି। ସ୍ପେଶାଲ କୋର୍ଟ ଶ୍ରୀ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକଙ୍କ ନାଁ’ରେ ଚାର୍ଜଫ୍ରେମ୍ କରିଛନ୍ତି ।
ସୂଚନା ଅନୁସାରେ ଭୁବନେଶ୍ୱରର ଜେଏମଏଫସି କୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀ, ଆକାଶ ପାଠକ ଓ ସର୍ବେଶ୍ୱର ରାଓଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୧୯,୪୨୦,୪୬୭,୪୬୮,୪୬୯,୪୭୧ ଓ ୧୨୦-ଖ ସମେତ ଆଇଟି ଆକ୍ଟର ଧାରା ୬୬-ଗ ଓ ଘରେ ଚାର୍ଜଫ୍ରେମ୍ ହୋଇଛି । କ୍ରାଇମବ୍ରାଂଚର କେସ୍ ନମ୍ବର ୨୬/୨୦୨୦ ମାମଲାରେ କୋର୍ଟ ଏହି ଚାର୍ଜଫ୍ରେମ କରିଛନ୍ତି।
କ୍ରାଇମବ୍ରାଂଚ ଅଭିଯୋଗ ଅନୁସାରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର ସହଯୋଗୀ ଶ୍ରୀ ରାଓ ଓ ଶ୍ରୀ ପାଠକ ମିଳିତ ଭାବେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ତୋଷାରପାତ କରିଛନ୍ତି । ପୁଲିସ ଏହି ମାମଲାରେ ସେମାନଙ୍କୁ ଗିରଫ କରିଥିଲା। ସୂଚନାଥାଉକି, ଟାଟା କମ୍ପାନୀରେ ଚାକିରି କରାଇ ଦେବା ବାହାନାରେ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଜାମିନରେ ଆସିବା ପରେ ସ୍ୱତନ୍ତ୍ର କୋର୍ଟ ଓ ପରେ ହାଇକୋର୍ଟରେ ଡିସଚାର୍ଜ ପିଟିସନ୍ ପ୍ରଦୀପ ପାଣିଗ୍ରାହୀ ଦାଖଲ କରିଥିଲେ । ତେବେ ଏହି ଆବେଦନ ଖାରଜ ହୋଇ ଯାଇଥିଲା ।